• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ଆଇନର ଉତ୍ସ



କୌଣସି ଆଇନ୍ ବିଷୟରେ ତଥା ତାହାର ପ୍ରକୃତି,ପରିସର,ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଜନ୍ମ ଇତ୍ୟାଦି ସଂକ୍ରାନ୍ତରେ ଜାଣିବା ପାଇଁ ହେଲେ,ତାର ଉତ୍ସ ଅଧ୍ୟୟନ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଏ।ଏହି ଉତ୍ସସମୂହ ହିଁ ବାସ୍ତବରେ ଆଇନକୁ ସୃଷ୍ଟିକରି ତାହାକୁ ପ୍ରକୃତ ରୂପରେଖ ଦେଇଥାଏ। ହିନ୍ଦୁ ବ୍ୟକ୍ତିଗତ ଆଇନକୁ ଭଲଭାବରେ ଜାଣିବା ପାଇଁ ହେଲେ ତାର ଉତ୍ସ ଇତ୍ୟାଦିକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ,କାରଣ ଏସବୁ ହିଁ ବାସ୍ତବରେ ଆଇନକୁ ଗଢିତୋଳିଥାଏ।ହିନ୍ଦୁ ଧର୍ମନିୟମର ଉତ୍ସକୁ ପୁରାତନ ଓ ନୂତନ ଅଂଶରେ ଦୁଇଭାଗରେ ବିଭକ୍ତ କରାଯାଇପାରେ।ପୁରାତନ ଉତ୍ସ ଭିତରେ ଶ୍ରୁତି,ସ୍ମୃତି, ଟିପ୍ପଣୀଏବଂ ମନ୍ତବ୍ୟ ତଥା ପ୍ରଥା ଏବଂ ଆଧୁନିକ ଉତ୍ସ ମଧ୍ୟରେ ନ୍ୟାୟ,ସମତା,ଉତ୍ତରବିବେକ ତଥା ପ୍ରଣୟନ ହୋଇଥିବା ଆଇନ୍ ଏବଂ ନ୍ୟାୟିକ ନିଷ୍ପତ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।


ପ୍ରାଚୀନ ଉତ୍ସ :


ଶ୍ରୁତି -


ହିନ୍ଦୁ ନିୟମର ପ୍ରାଥମିକ ଏବଂ ସର୍ବୋଚ୍ଚ ଉତ୍ସ ହେଉଛି ଶ୍ରୁତି ଯାହା ସାଧୁମାନଙ୍କ ମାଧ୍ୟମରେ ଶୁଣାଯାଇଥିବା ଈଶ୍ୱରଙ୍କ ଭାଷା ବୋଲି ବିଶ୍ୱାସ କରାଯାଏ ।ଏହି ଶବ୍ଦଟି “ଶ୍ରୁ” ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି “ଶୁଣିବା” ବା "ଯାହା ଶୁଣାଯାଇଛି"।ଏହାକୁ ଶୁଣିଶୁଣି ମନେ ରଖାଯାଉଥିବାରୁ ଏହାକୁ ଶ୍ରୁତି ବୋଲି କୁହାଯାଏ କେତେଜଣ ବିଶ୍ଵାସ କରନ୍ତି।


ଏହି ଶ୍ରୁତିକୁ ହିନ୍ଦୁ ଆଇନର ପ୍ରମୁଖ ଉତ୍ସ ଭାବରେ ଗଣନା କରାଯାଇଥାଏ।ବେଦ ଶ୍ରୁତିର ଅନ୍ତର୍ଗତ ହୋଇଥାଏ।ଶ୍ଲୋକ ଧାରଣ କରିଥିବା ଋକବେଦ, ସଂଗୀତ ତଥା ଗାନର ସମାହାର ସାମବେଦ , ଯଜ୍ଞ ତଥା ପୂଜାପଦ୍ଧତି ଶିଖାଉଥିବା ଯଜୁର୍ବେଦ ଏବଂ ଆୟୁର୍ବେଦ ଏବଂ ଚିକିତ୍ସା ବିଷୟରେ ଶିକ୍ଷାଦେଉଥିବା ଅଥର୍ବ ବେଦ ଏବଂ ବେଦାନ୍ତ ପ୍ରଭୃତି ବାସ୍ତବରେ ଅନନ୍ତ ଜ୍ଞାନର ଏକ ଗନ୍ତାଘର ଏବଂ ହିନ୍ଦୁ ଆଇନ୍ ବ୍ୟବସ୍ଥାର ମୂଳ ତଥା ପୁରାତନ ଉତ୍ସ।


ମନୁଙ୍କ ମତରେ,ଧର୍ମ ହେଉଛି ତାହା,ଯାହାକୁ ବେଦଜ୍ଞ ଅନୁସରଣ କରନ୍ତି ଏବଂ ଯାହା ବିବେକବାନ ବ୍ୟକ୍ତିଙ୍କ ଦ୍ଵାରା ଅନୁମୋଦିତ ହୋଇଥାଏ।


ସ୍ମୃତି-


ସ୍ମୃତି ଶବ୍ଦଟି “ସ୍ମୃ” ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି “ମନେ ରଖିବା”। ପାରମ୍ପରିକ ଭାବରେ, ଶ୍ରୁତି ଦ୍ଵାରା ଯା‌ହା ଶୁଣାଯାଇଥିଲା,ସେସବୁ ମନେରଖି ବୋଧଗମ୍ୟ ଭାବରେ ସ୍ମୃତିରେ ଲିପିବଦ୍ଧ କରାଯାଇଥିଲା। ପ୍ରକାର ଭେଦରେ ଏହି ସ୍ମୃତି ସାଧାରଣତଃ ଦୁଇ ପ୍ରକାର,ଧର୍ମସୂତ୍ର ଏବଂ ଧର୍ମଶାସ୍ତ୍ର ।ଧର୍ମସୂତ୍ର ଗଦ୍ୟରେ ଲେଖା ହୋଇଛି ଏବଂ ଧର୍ମଶାସ୍ତ୍ର କବିତାରେ ରଚନା କରାଯାଇଛି।ସ୍ମୃତିରେ ଧର୍ମ ସହ ନୈତିକତା ତଥା ଆଇନକୁ ବେଶ ଭଲ ଭାବରେ ଉପସ୍ଥାପନ କରାଯାଇଛି। ଏହା ଏକ ହିନ୍ଦୁ ବ୍ୟକ୍ତିର ସାମାଜିକ,ନୈତିକ ତଥା ଆଧ୍ୟାତ୍ମିକ କର୍ତ୍ତବ୍ୟ ଉପରେ ଗଭୀର ଭାବରେ ଆଲୋକପାତ କରିଛି।


ଏ ଯୁଗର ପ୍ରସିଦ୍ଧ ସ୍ମୃତି ଲେଖକଙ୍କ ମଧ୍ୟରେ ମନୁ, ଅତ୍ରି, ବିଷ୍ଣୁ, ହରିତ, ଯଜ୍ଞବକ୍ଳ, ବୃହସ୍ପତି,ପରାଶର ପ୍ରଭୃତି ଅନ୍ୟତମ,ଯେଉଁ ମାନଙ୍କ ଦ୍ଵାରା ଲିଖିତ ସ୍ମୃତିକୁ ଆଜି ମଧ୍ୟ ଆଇନର ଉତ୍ସ ଭାବରେ ପ୍ରାଧାନ୍ୟ ଦିଆଯାଉଛି।


ଟିପ୍ପଣୀ ଏବଂ ମନ୍ତବ୍ୟଗୁଡିକ -


ସ୍ମୃତି ଏବଂ ଶ୍ରୁତି ପରେ ଟିପ୍ପଣୀ ଏବଂ ମନ୍ତବ୍ୟ ଯୁଗ ଆସିଲା ଯାହା ସାଧାରଣତଃ ଧର୍ମଶାସ୍ତ୍ର ତଥା ଧର୍ମସୂତ୍ରମାନଙ୍କର ବିଶ୍ଲେଷଣ ଥିଲା। ମନ୍ତବ୍ୟ ସାଧାରଣତଃ ସ୍ମୃତିମାନଙ୍କ ଉପରେ ଲେଖାଯାଉଥିଲା ଓ ବିଭିନ୍ନ ସ୍ମୃତିର ସମନ୍ଵୟ କରି

ଟିପ୍ପଣୀ ଲେଖାଯାଉଥିଲା।ଏହା ଫଳରେ ଧର୍ମ,କର୍ତ୍ତବ୍ୟ ଓ ଆଇନକୁ ବୁଝିବା ବେଶ ସରଳ ଓ ସହଜ ହୋଇପାରିଥିଲା।


ଭିନ୍ନଭିନ୍ନ କାରଣରୁ ଲୋକମାନେ ଭିନ୍ନ ଭିନ୍ନ ଟିପ୍ପଣୀକୁ ସମର୍ଥନ କଲେ,ଫଳତଃ ଏହି ଅନୁଯାୟୀ ଧର୍ମରେ ବିଶ୍ଵାସ ଓ ନିୟମ ଭିତ୍ତିକ ଭିନ୍ନ ଭିନ୍ନ ଭାଗ ବା ବିଚାରଧାରା ସୃଷ୍ଟି ହେଲା।ହିନ୍ଦୁ ଧର୍ମର ପ୍ରମୁଖ ଭାଗ ମିତାକ୍ଷରା ଓ ଦାୟଭାଗ ଏହି ସମୟରୁ ହିଁ ଏହି ଭିନ୍ନଭିନ୍ନ ଟିପ୍ପଣୀ ଓ ମନ୍ତବ୍ୟମାନଙ୍କୁ ସମର୍ଥନ କରି ସୃଷ୍ଟି ହୋଇଥିଲା।


ପ୍ରଥା -


ପ୍ରଥା ହେଉଛି ଏକ ଅଲିଖିତ ଆଇନ୍ ଭଳି, ଏହା ଯେକୌଣସି ବି ବ୍ୟବସ୍ଥାରେ ଏକ ପ୍ରଚଳିତ ଅଭ୍ୟାସ ଯାହାକି ଲୋକମାନେ ଏକ ଦୀର୍ଘ ସମୟ ପାଇଁ କ୍ରମାଗତ ଭାବରେ ଅନୁସରଣ କରନ୍ତି ।ଭାରତୀୟ ଆଇନ୍ ବ୍ୟବସ୍ଥାରେ ଏହି ପ୍ରଥା ସମୂହକୁ ଆଇନର ଏକ ଗୁରୁତ୍ଵପୂର୍ଣ୍ଣ ମାନଦଣ୍ଡ ଭାବରେ ମଧ୍ୟ ଗ୍ରହଣ କରାଯାଏ।


ତେବେ କୈାଣସି ପ୍ରଥା ସେତେବେଳେ ଗ୍ରହଣୀୟ ହୋଇଥାଏ, ଯେତେବେଳେ ତାହା ନିମ୍ନଲିଖିତ ଆବଶ୍ୟକତା ସମୂହ ପୂରଣ କରିଥାଏ।


-ପ୍ରଥା ପ୍ରାଚୀନ ହେବା ଜରୁରୀ । ନିର୍ଦ୍ଦିଷ୍ଟ ବ୍ୟବହାର ନିଶ୍ଚିତ ଭାବରେ ଦୀର୍ଘ ସମୟ ଧରି ଅଭ୍ୟାସ ହୋଇଆସୁଥିଲେ ପ୍ରଥାର ମାନ୍ୟତା ପାଏ।


-ଏହି କଷ୍ଟମ ବା ପ୍ରଥା ନିଶ୍ଚିତ ଏବଂ ସ୍ପଷ୍ଟ ହେବା ଆବଶ୍ୟକ ଏବଂ କୌଣସି ପ୍ରକାରର ଅସ୍ପଷ୍ଟତା ଠାରୁ ମୁକ୍ତ ହେବା ଉଚିତ ।ଏହାର ଅର୍ଥ ପ୍ରଥାରେ କ'ଣ କରାଯିବ ବା କଣ ନ କରାଯିବ ଏ ନେଇ ବ୍ୟବହାର ସ୍ପଷ୍ଟ ରହିବା ଉଚିତ।


-ଦୀର୍ଘ ଦିନ ଧରି କ୍ରମାଗତ ଭାବରେ ଏବଂ ସମାନ ଭାବରେ ଅନୁସରଣ କରାଯିବା ଆବଶ୍ୟକ ।କ୍ରମତା ଏହାର ଏକ ମୁଖ୍ୟ ବୈଶିଷ୍ଟ୍ୟ।ପ୍ରାଚୀନ କାଳରୁ ଏହା ସମାନ ଭାବରେ କ୍ରମତା ରକ୍ଷା କରି ବ୍ୟବହୃତ ହୋଇଆସିଲେ ହିଁ ଯାଇ ପ୍ରଥାର ମାନ୍ୟତା ପାଇଥାଏ।


- ଆଇନର ମାନ୍ୟତା ପାଇବା ନିମନ୍ତେ ଏସବୁ ନିଶ୍ଚିତ ଭାବରେ ଯୁକ୍ତିଯୁକ୍ତ,ବିଚାରସମ୍ମତ ହେବା ଆବଶ୍ୟକ। ଏହା ପ୍ରଚଳିତ ଆଇନର ଧାରା ଅଥବା ସାର୍ବଜନୀନ ନୈତିକତା ବିରୁଦ୍ଧରେ ରହିଲେ ଆଇନର ମାନ୍ୟତା ପାଇବା ପାଇଁ ଅଯୋଗ୍ୟ ହୋଇଥାଏ।


ହିନ୍ଦୁ ଆଇନରେ ଅନେକ ବିଷୟରେ ଆଇନସମ୍ମତ ସ୍ଥାନୀୟ ପ୍ରଥା ବା ବର୍ଗ ପ୍ରଥା ବା ପରିବାରର ପ୍ରଥା ଓ ପରମ୍ପରା ପ୍ରଚଳିତ ହେବାକୁ ଅନୁମତି ରହିଛି ଏବଂ ଏହା ମଧ୍ୟ ସମ୍ବିଧାନର ଧାରା ୧୩ ଅନୁଯାୟୀ ଆଇନ ଭାବରେ ପରିଗଣିତ ହୋଇଥାଏ।


ନୂତନ ଉତ୍ସଗୁଡିକର ପ୍ରଚଳିତ ସମସାମୟିକ ଅବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନ,କାଳ,ପାତ୍ର ଅନୁଯାୟୀ କରାଯାଇଥାଏ।


ନିୟମ ପ୍ରଣୟନ ଅଥବା ଲେଜିସଲେସନ୍ -


ହିନ୍ଦୁ ଆଇନର ଆଧୁନିକ ଉତ୍ସ ମାନଙ୍କ ମଧ୍ୟରେ ଏହା ପ୍ରମୁଖ ଉତ୍ସ ।ଭାରତରେ ହିନ୍ଦୁ ଆଇନର ମୂଳ ଉତ୍ସ ପ୍ରଭୃତିକୁ ସମ୍ମାନ ଜଣାଇ ସମୟର ଆବଶ୍ୟକତାକୁ ଆଖି ଆଗରେ ରଖି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଇନ୍ ପ୍ରଣୟନ କରାଯାଇଛି।


ହିନ୍ଦୁ ବିବାହ ଅଧିନିୟମ, ୧୯୫୫, ହିନ୍ଦୁ ଦତ୍ତକ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬, ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬, ହିନ୍ଦୁ ନାବାଳକତ୍ଵ ଏବଂ ଅଭିଭାବକ ଆଇନ, ୧୯୫୬,ପ୍ରଭୃତି ବିଭିନ୍ନ ଆଇନ୍ ଭିନ୍ନଭିନ୍ନ ସମୟରେ ପାରିତ କରାଯାଇଛି।ଏହିସବୁ ଆଇନ୍ ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କର ରୀତିନୀତି ନିୟନ୍ତ୍ରଣ କରିଥାଏ।


ନ୍ୟାୟିକ ନିଷ୍ପତ୍ତି -


ଏହା ଉଚ୍ଚତମ ନ୍ୟାୟାଳୟ,ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଦ୍ଵାରା ପ୍ରଦତ୍ତ ନିଷ୍ପତ୍ତିକୁ ସୂଚାଇଥାଏ ଏବଂ ସେହି ସମାନ ସମସ୍ୟାଗୁଡ଼ିକ ସେହି ସମାନ ପଦ୍ଧତିରେ ସମାଧାନ ହେବା ଯୋଗ୍ୟ ବୋଲି ଜଣାଇଥାଏ। ଆମର ଭାରତୀୟ ନ୍ୟାୟପାଳିକା ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ହିନ୍ଦୁ ନିୟମକୁ ବ୍ୟାଖ୍ୟା କରିଛନ୍ତି ଓ ଆବଶ୍ୟକ ସ୍ଥଳେ ମାମଲା ସମାଧାନ ନିମନ୍ତେ ନୂଆ ନୂଆ ନିୟମ ପ୍ରୟୋଗ କରିଛନ୍ତି,ଯାହା ପରବର୍ତ୍ତୀ ମାମଲା ସମୂହରେ ଅନୁକରଣ ହେଉଛି।


ଉଦାହରଣ ସ୍ଵରୂପ ,ସୀମା ବନାମ ଅଶ୍ବିନୀ କୁମାର ମାମଲାରେ ନ୍ୟାୟାଳୟ ସବୁ କେନ୍ଦ୍ର ତଥା ସବୁ ରାଜ୍ୟ ସରକାରଙ୍କୁ ବିବାହ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଇବାକୁ ଚେଷ୍ଟା କରାଇବା ନିମନ୍ତେ କହିଥିଲେ। ସେହିପରି ଗୀଥା ହରିହରନ ବନାମ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ପିତାଙ୍କ ଅନୁପସ୍ଥିତିରେ ମାତା ହିନ୍ଦୁ ନାବାଳକ ପାଇଁ ଅଭିଭାବକର ଭୂମିକା ତୁଲାଇପାରିବେ ବୋଲି କୁହାଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ମାମଲାରେ ଲାଗୁ ହୋଇଥିଲା।

ନ୍ୟାୟ, ସମତା ଏବଂ ଉତ୍ତମ ବିବେକ -


ବେଳେବେଳେ କେତୋଟି କ୍ଷେତ୍ରରେ ଏପରି ହୋଇଥାଏ ଯେ,କୌଣସି ବିଦ୍ୟମାନ ବା ପ୍ରଚଳିତ ନିୟମର ପ୍ରୟୋଗ ଦ୍ୱାରା ସମାଧାନ ହୋଇପାରେ ନାହିଁ । ଏଭଳି ପରିସ୍ଥିତିରେ ମାମଲା ନିର୍ଣ୍ଣୟ କରିବା ପାଇଁ, ନ୍ୟାୟାଳୟ ମୂଲ୍ୟ, ଆଦର୍ଶ ଏବଂ ନ୍ୟାୟ ଏବଂ ମାନଦଣ୍ଡର ମାନ ଉପରେ ନିର୍ଭର କରେ।ତେଣୁ ଏହାକୁ ମଧ୍ୟ ହିନ୍ଦୁ ଆଇନର ଏକ ଉତ୍ସ ଭାବରେ ବିବେଚନା କରାଯାଏ।

Our Recent Posts

Law in Odia

India

LAW IN ODIA