• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ଧର୍ମର ଭାଗଗୁଡ଼ିକ



ମନ୍ତବ୍ୟ ତଥା ଟିପ୍ପଣୀ ଯୁଗର ସାଥେସାଥେ ସେସବୁକୁ ସମର୍ଥନ କରି ହିନ୍ଦୁ ଚିନ୍ତନରେ ସୃଷ୍ଟି ହୋଇଥିଲା ବିଭିନ୍ନ ବିଭାଗ ବା ବିଚାରଧାରା ସମୂହ। ହିନ୍ଦୁ ନିୟମର ଦୁଇଟି ପ୍ରମୁଖ ବିଚାରଧାରା ବା ଭାଗ ହେଉଛି ମିତାକ୍ଷରା ଏବଂ ଦାୟଭାଗ । ଦାୟଭାଗ ଭାଗଟି ଭାରତର ପଶ୍ଚିମବଙ୍ଗ ଏବଂ ଆସାମରେ ବିଶେଷତଃ ପ୍ରଚଳିତ।ମିତାକ୍ଷରା ଭାଗର ନିୟମ ଏହି ଦୁଇଟି ସ୍ଥାନ ବ୍ୟତୀତ ପ୍ରାୟ ସମଗ୍ର ଭାରତରେ ପ୍ରଯୁଜ୍ୟ ହୋଇଥାଏ।ମିତାକ୍ଷରା ମୁଖ୍ୟତଃ ଯଜ୍ଞବକ୍ଳଙ୍କ ଦ୍ୱାରା ଲିଖିତ ସ୍ମୃତିର ଏକ ମନ୍ତବ୍ୟ ଯାହା ବିଜ୍ଞାନେଶ୍ୱରଙ୍କ ଦ୍ଵାରା ଲିଖିତ ଏବଂ ଦାୟଭାଗ ହେଉଛି ଜୀମୁତବାହନଙ୍କର ରଚନା।ହିନ୍ଦୁ ଧର୍ମରେ ସ୍ଥାନ ଓ ପାତ୍ର ଅନୁସାରେ ଏହି ଦୁଇଟି ଭାଗ ବା ବିଚାରଧାରାର ମହତ୍ତ୍ଵ ଖୁବ ଅଧିକ।


ମିତାକ୍ଷରା ଏବଂ ଦାୟଭାଗ ବିଚାରଧାରା ମଧ୍ୟରେ ପାର୍ଥକ୍ୟ କ’ଣ? ଦାୟଭାଗ

ତେବେ ମନରେ ନିଶ୍ଚିତ ରୂପେ ପ୍ରଶ୍ନ ଉଠୁଥିବା ଯେ,ହିନ୍ଦୁ ବିଶ୍ଵାସର ଏ ଦୁଇଟି ଭାଗ ମଧ୍ୟରେ ଭିନ୍ନତା କଣ? ଆସନ୍ତୁ ଜାଣିବା।ଏ ଦୁଇଟି ମୁଖ୍ୟତଃ ହିନ୍ଦୁ ପରିବାରରେ ସମ୍ପତ୍ତି ଧାରଣ ଓ ଉତ୍ତରାଧିକରଣ ପ୍ରକ୍ରିୟାକୁ ହିଁ ପ୍ରଭାବିତ କରିଥାଏ।

ମିତାକ୍ଷରା ବିଚାରଧାରା ଅଧୀନରେ ପୈତୃକ ସମ୍ପତ୍ତିରେ ଜନ୍ମରୁ ଅଧିକାର ମିଳିଥାଏ ।ଅର୍ଥାତ ପରିବାରରେ ବ୍ୟକ୍ତି ଜନ୍ମ ହେବା ମାତ୍ରକେ ସମ୍ପତ୍ତିରେ ତାର ଭାଗ ସୁରକ୍ଷିତ ହୋଇଯାଏ।ଏହି ଭାଗଟି ତାର ଜନ୍ମଗତ ଅଧିକାର ଓ ତାହାକୁ ପାଇବା ପାଇଁ ସେ ଇଚ୍ଛା ଅନୁଯାୟୀ ଯୌଥ ପରିବାରର ସଂପତ୍ତିରେ ବିଭାଜନ ଦାବି କରିପାରେ। ସମ୍ପତ୍ତିରେ ଏହି ପ୍ରକାରର ଅଧିକାର କେବଳ ମିତାକ୍ଷରା ଭାଗରେ ଦେଖିବାକୁ ମିଳିଥାଏ।ଏହାର ନିୟମ ଅନୁଯାୟୀ ଯଦି ବିଭାଜନରେ ନିଜ ଅଧିକାରର ଉଚିତ ଭାଗ ନ ମିଳେ ,ତେବେ ପୁର୍ନବିଭାଜନ କରାଯାଇପାରିବ।


ଅପର ପକ୍ଷରେ ଦାୟଭାଗ ସମ୍ପତ୍ତି ଉପରେ ବ୍ୟକ୍ତିର ଜନ୍ମ ଅଧିକାରକୁ ସ୍ୱୀକୃତି ଦିଏ ନାହିଁ।ଏହାର ମତ ଅନୁସାରେ କେବଳ ସମ୍ପତ୍ତି ଧାରକଙ୍କର ମୃତ୍ୟୁ ପରେ ହିଁ ସମ୍ପତ୍ତି ଉତ୍ତରାଧିକାରୀର ଅଧିକାରକୁ ଆସିଥାଏ।ଏହା ପୂର୍ବରୁ କୌଣସି ବ୍ୟକ୍ତି ନିଜର ଭାଗ ଦାବି କରିପାରିବେ ନାହିଁ ଅବା ବିଭାଜନ ନିମନ୍ତେ ଇଚ୍ଛା କରିପାରିବେ ନାହିଁ କାରଣ ସମ୍ପତ୍ତିଟି କେବଳ ଧାରକଙ୍କର ନିଜସ୍ଵ ହୋଇ ରହିଥାଏ,ଯେଉଁଥିରେ ଅନ୍ୟ କାହାର ଭାଗ ନଥାଏ ।ଏହି ନିୟମରେ ମୃତ୍ୟୁ ପରେ ହିଁ ବ୍ୟକ୍ତିଙ୍କ ସମ୍ପତ୍ତି ଭାଗଯୋଗ୍ୟ ହୋଇଥାଏ।


ମିତାକ୍ଷରା ଭାଗ ଅଧୀନରେ "ବଞ୍ଚିବାର ନିୟମ"ପ୍ରଚଳିତ ,ଯାହା ଅନୁଯାୟୀ ଯୌଥ ପରିବାରର କୌଣସି ସହଭାଗୀ ଉତ୍ତରାଧିକାରୀଙ୍କ ମୃତ୍ୟୁ ହେଲେ, ତାଙ୍କ ଭାଗ ପରିବାରର ଅନ୍ୟ ବଞ୍ଚିଥିବା ସଦସ୍ୟଙ୍କ ନିକଟକୁ ଯିବ । ଏହାର ଅର୍ଥ ବ୍ୟକ୍ତିର ସମ୍ପତ୍ତିରେ ଅଧିକାର ବ୍ୟକ୍ତିର ମୃତ୍ୟୁ ସାଙ୍ଗରେ ହିଁ ଶେଷ ହୋଇଯାଇଥାଏ ଓ ବଞ୍ଚିରହିଥିବା ଅନ୍ୟ ସଦସ୍ୟ ଏହାକୁ ଧାରଣ କରିପାରିବେ।ଏଇ ନିୟମ ଅନୁଯାୟୀ ବ୍ୟକ୍ତିର ମୃତ୍ୟୁ ପରେ ସମ୍ପତ୍ତି ବିଭାଜନ ସମୟରେ ମୃତ ବ୍ୟକ୍ତିର ଭାଗଟି ଅନ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟାଯାଇଥାଏ।


ଦାୟଭାଗ ବିଚାରଧାରାରେ ସଦସ୍ୟଙ୍କ ମୃତ୍ୟୁ ପରେ ସୁଦ୍ଧା ତାଙ୍କର ଭାଗ ସୁରକ୍ଷିତ ରହିଥାଏ।ଏହି ଦାୟଭାଗ ଅନୁଯାୟୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ଅଧିକାରକୁ ତାଙ୍କର ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବଣ୍ଟାଯାଇନଥାଏ ଓ ଏହା କେବଳ ଉକ୍ତ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଯେପରିକି ତାଙ୍କ ବିଧବା, ପୁଅ, ଝିଅ ନିକଟକୁ ଯାଇଥାଏ ।ଏହି ଭାଗର ନିୟମ ଅନୁସାରେ ପରିବାରର ସମ୍ପତ୍ତିରେ ଭାଗ ମୃତ୍ୟୁ ପରେ ମଧ୍ୟ ରହିଥାଇ ତାଙ୍କର ଉତ୍ତରାଧିକାରୀଙ୍କ ନିକଟକୁ ଯାଇଥାଏ।


ମିତାକ୍ଷରା ଅଧୀନରେ ଉତ୍ତରାଧିକାର କ୍ଷେତ୍ରରେ ରକ୍ତ ସମ୍ପର୍କ କିମ୍ବା ସମାନ ପିତୃପୁରୁଷଙ୍କଠାରୁ ସୃଷ୍ଟ ନିୟମ ପାଳନ କରାଯାଏ।ଏହାର ଅର୍ଥ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ହେବାପାଇଁ ବ୍ୟକ୍ତିଙ୍କୁ ମୃତ ବ୍ୟକ୍ତିଙ୍କ ସହ ରକ୍ତଗତ ସମ୍ପର୍କରେ ଯୋଡି ହୋଇରହିଥିବା ଆବଶ୍ୟକ।ଏହାର ଅଭାବ ସ୍ଥଳେ ମିତାକ୍ଷରା ଭାଗରେ ବ୍ୟକ୍ତି ଉତ୍ତରାଧିକାରୀ ଭାବରେ ସ୍ଵୀକୃତ ହୋଇପାରେ ନାହିଁ।


ଦାୟଭାଗ କ୍ଷେତ୍ରରେ ଉତ୍ତରାଧିକାରୀ ନିର୍ଦ୍ଧାରଣ ପ୍ରକ୍ରିୟାଟି ପିଣ୍ଡଦାନ ନିୟମ ଦ୍ୱାରା ପରିଚାଳିତ ହୋଇଥାଏ ।ଏହି ଭାଗ ଅନୁଯାୟୀ ବ୍ୟକ୍ତିର ମୃତ୍ୟୁ ପରେ ପିଣ୍ଡଦାନ କରୁଥିବା ବ୍ୟକ୍ତିଟି ହିଁ ବ୍ୟକ୍ତିର ଉତ୍ତରାଧିକାରୀ ଭାବରେ ପରିଗଣିତ ହୋଇଥାଏ।ଏ କ୍ଷେତ୍ରରେ ରକ୍ତଗତ ସମ୍ପର୍କକୁ ପ୍ରାଧାନ୍ୟ ନ ଦିଆଯାଇ ପିଣ୍ଡଦାତା ସଂପର୍କକୁ ଗୁରୁତ୍ଵ ଦିଆଯାଇଥାଏ। ମିତାକ୍ଷରାରେ ପିତାଙ୍କର ଉତ୍ତରାଧିକାରୀ ପୁତ୍ର ହୋଇଥିଲା ବେଳେ ଦାୟଭାଗ ରେ ପିଣ୍ଡଦାନ କରୁଥିବା ବ୍ୟକ୍ତିଟି ମୃତବ୍ୟକ୍ତିର ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥାଏ‌।


ମିତାକ୍ଷରା ଭାଗକୁ ଆହୁରି ପାଞ୍ଚଟି ଉପ-ଭାଗରେ ବିଭକ୍ତ କରାଯାଇଛି ଯେପରିକି ବନାରସ୍ ହିନ୍ଦୁ ନିୟମ ଭାଗ,ମିଥିଲା ନିୟମ ଭାଗ । ମହାରାଷ୍ଟ୍ର ନିୟମ ଭାଗ,ପଞ୍ଜାବ ନିୟମ ଭାଗ ଏବଂ ଦ୍ରାବିଡ କିମ୍ବା ମାଡ୍ରାସ ନିୟମ ଭାଗ ପ୍ରଭୃତି।ବିରମିତ୍ରୋଦୟ ,ନିର୍ବାଣସିନ୍ଧୁ, ବିବାଦରତ୍ନାକର, ବିବାଦଚିନ୍ତାମଣି, ସ୍ମୃତିସାରା,ସ୍ମୃତି ଚନ୍ଦ୍ରିକା ପ୍ରଭୃତି ମିତାକ୍ଷରାର ମୁଖ୍ୟ ମନ୍ତବ୍ୟ ହୋଇଥିବା ବେଳେ ଦୟାତତ୍ତ୍ଵ, ଦୟାକର୍ମସଂଗ୍ରହ, ବିରମିତ୍ରୋଦୟ,ଦତ୍ତକ ଚନ୍ଦ୍ରିକା ପ୍ରଭୃତି ଦାୟଭାଗ ର ମୁଖ୍ୟ ଟିପ୍ପଣୀ ହୋଇଥାଏ।


ତେବେ ବର୍ତ୍ତମାନର ହିନ୍ଦୁ ନିୟମ ସମୂହ ପ୍ରଚଳିତ ହିନ୍ଦୁ ବ୍ୟକ୍ତିଗତ ଆଇନ୍ ଅଧିନିୟମର ଧାରା ଅନୁଯାୟୀ ହିଁ ନିୟନ୍ତ୍ରିତ ହୋଇଥାଏ ଏବଂ ଏସବୁ ଭାଗ ବା ବିଚାରଧାରାରେ ଥିବା ପାର୍ଥକ୍ୟର ପ୍ରଭାବ ଅଧୁନା ସମୟରେ ପରିଦୃଷ୍ଟ ହୁଏନାହିଁ।


Our Recent Posts

Law in Odia

India

LAW IN ODIA