• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ନିୟମ ଅନୁଯାୟୀ ଅଭିଭାବକ



ଅଭିଭାବକଙ୍କ ନିୟମ ନାବାଳକ ଏବଂ ମାନସିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସୃଷ୍ଟି ହୋଇଥାଏ, ଯେଉଁମାନେ କି ନିଜର ଯତ୍ନ ନେବା କିମ୍ବା ନିଜର ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ସମର୍ଥ ହୋଇନଥାନ୍ତି। ସେମାନଙ୍କର ଉପଯୁକ୍ତ ଧ୍ୟାନ ରଖିବା ସହ ତାଙ୍କ କାର୍ଯ୍ୟର ସଠିକ୍ ପରିଚାଳନା କରିବା ଦାୟିତ୍ଵ ଅଭିଭାବକଙ୍କ ଉପରେ ନ୍ୟସ୍ତ ହୁଏ।ସମ୍ପତ୍ତି ଓ ଶରୀରର ରକ୍ଷଣାବେକ୍ଷଣ ନିମନ୍ତ ଆଇନର ଆଖିରେ ଅଭିଭାବକର ଭୂମିକା ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।


ଅଭିଭାବକତ୍ଵ ସମ୍ବନ୍ଧୀୟ ସମସ୍ତ ସାଧାରଣ ନିୟମ ଯଦିଓ ଅଭିବାକତ୍ଵ ଏବଂ ସନ୍ତାନ ଅଧିନିୟମ (ଗାର୍ଜନ ଏଣ୍ଡ ଓ୍ବାଡସ ଆକ୍ଟ)୧୮୯୦ରେ ରଖାଯାଇଛି,ତଥାପି ବିଶେଷତଃ ହିନ୍ଦୁଙ୍କ ପାଇଁ ୨୫ ଅଗଷ୍ଟ ୧୯୫୬ରେ ହିନ୍ଦୁ ନାବାଳକତ୍ଵ ଏବଂ ଅଭିଭାବକତ୍ଵ ଅଧିନିୟମ ୧୯୫୬ ଘୋଷିତ ହୋଇଛି।ଯଦି ଏହି ଅଧିନିୟମ କୈାଣସି ବିଷୟ ଉପରେ ନୀରବ ରହିଥାଏ, ତେବେ ସେ କ୍ଷେତ୍ରରେ ଅଭିଭାବକତ୍ଵ ଏବଂ ସନ୍ତାନ ଅଧିନିୟମ (ଗାର୍ଜନ ଏଣ୍ଡ ଓ୍ବାଡସ ଆକ୍ଟ)୧୮୯୦ର ପ୍ରୟୋଗ ହେବ ,ଅନ୍ୟଥା ହିନ୍ଦୁ ନାବାଳକ ସମ୍ପର୍କିତ ସମସ୍ତ କ୍ଷେତ୍ରରେ ହିନ୍ଦୁ ନାବାଳକତ୍ଵ ଏବଂ ଅଭିଭାବକତ୍ଵ ଅଧିନିୟମ ୧୯୫୬ ଲାଗୁ ହେବ।


ନାବାଳକ କିଏ?


ଭାରତର ଆଇନ୍ ବ୍ୟବସ୍ଥା ଅନୁଯାୟୀ ୧୮ ବର୍ଷ ବୟସରେ ପଦାର୍ପଣ କରିବାପରେ ହିଁ ବ୍ୟକ୍ତି ସାବାଳକତା ହାସଲ କରନ୍ତି।ତେଣୁ ଏହି ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ପିଲାଟି ନାବାଳକ ଭାବରେ ପରିଗଣିତ ହୁଏ । ଏହି ଆଇନର ଧାରା ୪ ଅନୁଯାୟୀ ୧୮ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ନାବାଳକ ଭାବରେ ବିବେଚନା କରାଯିବ ।


ତେବେ ଏହି ଅଧିନିୟମ ଅନୁସାରେ ନାବାଳକ ବୟସସୀମା ସ୍ଥଳବିଶେଷରେ ୨୧ ବର୍ଷ ମଧ୍ୟ ହୋଇଥାଏ।ଯଦି କୌଣସି କ୍ଷେତ୍ରରେ ନାବାଳକର ସୁରକ୍ଷା ତଥା ତାହାର ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଜଣେ ଅଭିଭାବକ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ହୁଅନ୍ତି,ତେବେ ସେ କ୍ଷେତ୍ରରେ ବ୍ୟକ୍ତି ୨୧ ବର୍ଷ ପୂରଣ କଲାପରେ ହିଁ ସାବାଳକ ଭାବେ ବିବେଚିତ ହୁଏ।


ଅଭିଭାବକ କିଏ ?


ଅଧିନିୟମର ଧାରା ୪(ଖ) ଅନୁଯାୟୀ ନାବାଳକର ସୁରକ୍ଷା ତଥା ତାହାର ସମ୍ପତ୍ତିର ରକ୍ଷଣାବେକ୍ଷଣ କରୁଥିବା ବ୍ୟକ୍ତି ହିଁ ସେହି ନାବାଳକର ଅଭିଭାବକ ରୂପେ କଥିତ ହୁଅନ୍ତି।ଏହି ଅଭିଭାବକ ମୁଖ୍ୟତଃ ଚାରି ପ୍ରକାରର ହୋଇପାରନ୍ତି।-


୧.ପ୍ରାକୃତିକ ଅଭିଭାବକ

୨.ନାବାଳକର ପିତା ବା ମାତାଙ୍କ ଇଚ୍ଛାପତ୍ର ଦ୍ଵାରା ନିଯୁକ୍ତ ଅଭିଭାବକ (ଟେଷ୍ଟାମେଣ୍ଟାରୀ ଗାର୍ଜନ)

୩.ନ୍ୟାୟାଳୟ ଦ୍ଵାରା ନିଯୁକ୍ତ ଅଭିଭାବକ

୪.କୋର୍ଟ ଅଫ୍ ଓ୍ବାଡସର କୈାଣସି ନିୟମ ଦ୍ଵାରା ଅଭିଭାବକତ୍ଵ ନିମନ୍ତେ ସମର୍ଥ ଅଭିଭାବକ ।


ପ୍ରାକୃତିକ ଅଭିଭାବକ କାହାକୁ କୁହାଯାଏ ?


-ଏହି ଅଧିନିୟମର ଧାରା ୬ ଅନୁଯାୟୀ ନାବାଳକ ପୁତ୍ର ଏବଂ ଅବିବାହିତା ପୁତ୍ରୀ କ୍ଷେତ୍ରରେ ପିତା ହେଉଛନ୍ତି ଅଭିଭାବକ।


-ପିତାଙ୍କ ଅଭାବରେ ମାତା ଅଭିଭାବକର ସ୍ଥାନ ଗ୍ରହଣ କରନ୍ତି।ନାବାଳକଟି ଯଦି ଶିଶୁ ଏବଂ ଶିଶୁଟିର ବୟସ ପାଞ୍ଚ ବର୍ଷରୁ କମ୍,ତେବେ ସେ କ୍ଷେତ୍ରରେ ତା'ର କଷ୍ଟଡି ଅର୍ଥାତ୍ ରକ୍ଷଣାବେକ୍ଷଣ ଦାୟିତ୍ଵ ମାତାଙ୍କ ଉପରେ ନ୍ୟସ୍ତ ହୁଏ।


-ଅବୈଧ ସମ୍ପର୍କରୁ ଜନ୍ମ ନେଇଥିବା ପୁତ୍ର ଏବଂ ଅବୈଧ ଅବିବାହିତା କନ୍ୟାଙ୍କ କ୍ଷେତ୍ରରେ ମାତାଙ୍କୁ ହିଁ ଅଭିଭାବକର ଦାୟିତ୍ଵ ଦିଆଯାଇଥାଏ।ମାତାଙ୍କ ପରେ ତାଙ୍କର ପିତାଙ୍କୁ ସେମାନଙ୍କର ଅଭିଭାବକ ଭାବରେ ଚିହ୍ନଟ କରାଯାଇଥାଏ।


-ପିତାଙ୍କର ମୃତ୍ୟୁ ପରେ ମାତା ଯଦି ପୁନର୍ବାର ବିବାହ କରୁଛନ୍ତି,ତେବେ ବି ସେ ପୂର୍ବ ପତିଙ୍କ ଠାରୁ ଜନ୍ମିତ ନିଜ ନାବାଳକ ସନ୍ତାନର ଅଭିଭାବକ ରହିଥାନ୍ତି।ଏଠାରେ ଧ୍ୟାନ ରଖିବା ଆବଶ୍ୟକ ଯେ,ସାବତ ପିତା ବା ସାବତ ମାତା ପ୍ରାକୃତିକ ଅଭିଭାବକ ରୂପେ ପରିଗଣିତ ହୁଅନ୍ତି ନାହିଁ। କେବଳ ଜନ୍ମକରିଥିବା ପିତାମାତାଙ୍କୁ ହିଁ ଆଇନ୍ ଏହି ଅଧିକାର ପ୍ରଦାନ କରିଥାଏ।


-ବିବାହିତା ଝିଅ ମାନଙ୍କ କ୍ଷେତ୍ରରେ ସେମାନଙ୍କର ପତି ହିଁ ଅଭିଭାବକର ଦାୟିତ୍ଵ ବହନ କରିଥାନ୍ତି।ତେବେ ଗୋଟିଏ ନାବାଳକକୁ ଅନ୍ୟ ନାବାଳକର ଅଭିଭାବକ ରୂପେ ନିଯୁକ୍ତ କରାଯାଇପାରିବ ନାହିଁ।


-ପ୍ରାକୃତିକ ଅଭିଭାବକ ଯଦି ହିନ୍ଦୁ ଧର୍ମକୁ ତ୍ୟାଗ କରନ୍ତି ଅଥବା ସାଂସାରିକ ଜୀବନରୁ ସନ୍ନ୍ୟାସ ନେଇଯାଆନ୍ତି,ତେବେ ସେ ହିନ୍ଦୁ ନାବାଳକଟିର ଅଭିଭାବକ ହେବା ନିମନ୍ତେ ଅଯୋଗ୍ୟ ହୋଇ ଉଠନ୍ତି।


ପ୍ରାକୃତିକ ଅଭିଭାବକଙ୍କର ଶକ୍ତି -


ଅଧିନିୟମର ଧାରା ୮ ଅନୁଯାୟୀ, ପ୍ରାକୃତିକ ଅଭିଭାବକଙ୍କ କ୍ଷମତା ନିମ୍ନଲିଖିତ ଅଟେ:


ଜଣେ ହିନ୍ଦୁ ନାବାଳିକର ପ୍ରାକୃତିକ ଅଭିଭାବକ ସମସ୍ତ କାର୍ଯ୍ୟ କରିବାର କ୍ଷମତା ରଖିଛନ୍ତି ଯାହା ନାବାଳିକର ସ୍ୱାର୍ଥ ରକ୍ଷା ଦିଗରେ ସୁରକ୍ଷିତ।ନାବାଳିକାଙ୍କ ସ୍ୱାର୍ଥରେ ନଥିବା କୌଣସି କାର୍ଯ୍ୟ କରିବାକୁ ନ୍ୟାୟାଳୟ ପ୍ରାକୃତିକ ଅଭିଭାବକଙ୍କୁ ଅନୁମତି ଦେଇପାରିବ ନାହିଁ।ସବୁ କ୍ଷେତ୍ରରେ ନାବାଳକର କଲ୍ୟାଣକୁ ହିଁ ଧ୍ୟାନ ଦିଆଯାଇଥାଏ।ଏହି ସବୁ କାର୍ଯ୍ୟ ସାଧାରଣତଃ ନାବାଳକର ସୁରକ୍ଷା ତଥା ଉପଯୁକ୍ତ ରକ୍ଷଣାବେକ୍ଷଣ ନିମନ୍ତେ ଅପରିହାର୍ଯ୍ୟ ଏବଂ ବାଧ୍ୟତାମୂଳକ ହୋଇଥାଏ।


ତେବେ ସେ ଚାହିଁଲେ ନାବାଳକର ସ୍ଵାର୍ଥ ଦୃଷ୍ଟିରୁ କେତେକ ପରିସ୍ଥିତିରେ ନାବାଳକଙ୍କ ସମ୍ପତ୍ତିର ବ୍ୟବହାର କରିପାରିବେ ଏହା ନ୍ୟାୟାଳୟ ଦ୍ଵାରା ପୂର୍ବ ଅନୁମୋଦିତ ହେବା ଆବଶ୍ୟକ ।ନାବାଳକଙ୍କୁ ପ୍ରାପ୍ତ କୌଣସି ବହୂମୂଲ୍ୟ ଉପହାର, ବନ୍ଧକ କିମ୍ବା ନାବାଳକର କୌଣସି ମୂଲ୍ୟବାନ ଜିନିଷର ବ୍ୟବହାର ପୂର୍ବରୁ ପ୍ରାକୃତିକ ଅଭିଭାବକ ନ୍ୟାୟାଳୟ ଠାରୁ ଅନୁମତି ଆଣିବା ଉଚିତ୍ ।


ପ୍ରାୟ ୫ ବର୍ଷରୁ ଅଧିକ ସମୟ ନିମନ୍ତେ ନାବାଳକର ସମ୍ପତ୍ତିର ଏକ ଅଂଶର ବନ୍ଧକ କିମ୍ବା ନାବାଳିକ ଜଣକ ସାବାଳକ ହେବାର ଦିନଠାରୁ ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ବନ୍ଧକ ରଖିବା ପାଇଁ ପ୍ରାକୃତିକ ଅଭିଭାବକଙ୍କୁ ମଧ୍ୟ ନ୍ୟାୟାଳୟ ଠାରୁ ଅନୁମତି ଆଣିବାକୁ ପଡିଥାଏ।ଏ କ୍ଷେତ୍ରରେ ଯଦି ନ୍ୟାୟାଳୟ ସେସବୁ ଅନୁମୋଦନ କରେ ନାହିଁ, ତେବେ ଅଭିଭାବକଙ୍କ ଏପରି କାର୍ଯ୍ୟ ଅବୈଧ ହୋଇଯିବ।


ଯଦି ନାବାଳକ କିମ୍ବା ତାଙ୍କ ପକ୍ଷରୁ କୈାଣସି ବ୍ୟକ୍ତି ନାବାଳକଙ୍କ ନାମରେ ଥିବା ସମ୍ପତ୍ତିକୁ ବିସର୍ଜନ କରିବାକୁ ଚାହୁଁନାହାନ୍ତି,ତେବେ ସେପରି ସମ୍ପତ୍ତିର ବିସର୍ଜନ ଅବା ନିର୍ଗମନ ମଧ୍ୟ ଅବୈଧ ଘୋଷିତ ହେବ।


ଅନ୍ୟାନ୍ୟ ଅଭିଭାବକ -


ହିନ୍ଦୁ ନାବାଳକତ୍ଵ ଏବଂ ଅଭିଭାବକତ୍ଵର ଅଧିନିୟମ ୧୯୫୬ର ଧାରା ୯ ଅନୁଯାୟୀ, ଟେଷ୍ଟାମେଣ୍ଟାରୀ ଅଭିଭାବକ ଏକ ଇଚ୍ଛାପତ୍ର ଦ୍ୱାରା ଅନୁମୋଦିତ ହୋଇପାରିବେ ।


ପିତାମାତା ସର୍ବଦା ସନ୍ତାନର ପ୍ରାକୃତିକ ଅଭିଭାବକ ଭାବରେ କାର୍ଯ୍ୟ କରିଥାନ୍ତି। ତେବେ ସ୍ଥଳବିଶେଷରେ ଆବଶ୍ୟକତା ଦୃଷ୍ଟିରୁ ଇଚ୍ଛା ପତ୍ର ଦ୍ଵାରା ଅଭିଭାବକ ଚୟନ କରିବାର ଶକ୍ତି ଉଭୟ ପିତା ଏବଂ ମାତାଙ୍କୁ ପ୍ରଦାନ କରାଯାଇଛି।


ପିତାମାତା ସର୍ବଦା ଶିଶୁର ଅଭିଭାବକ ଏବଂ ଅନ୍ୟ ଅଭିଭାବକ ନିଯୁକ୍ତି ନିମନ୍ତେ ମଧ୍ୟ ଉଭୟଙ୍କର ସହମତି ରହିବା ଅନିର୍ବାର୍ଯ୍ୟ। ଯଦି ମାଆ ଓ ବାପାଙ୍କ ଭିତରୁ କେହିଜଣେ ସନ୍ତାନର ପ୍ରାକୃତିକ ଅଭିଭାବକ ରୂପରେ ଦାୟିତ୍ଵ ତୁଲାଇବାକୁ ଆଗ୍ରହୀ,ତେବେ ସେ କ୍ଷେତ୍ରରେ ଇଚ୍ଛାପତ୍ର ଦ୍ଵାରା ଅଭିଭାବକ ନିୟୋଜିତ ହୋଇପାରିବେ ନାହିଁ।ଉଦାହରଣ ସ୍ଵରୂପ ଯଦି ବାପା ଇଚ୍ଛାପତ୍ର ଦ୍ଵାରା ଏକ ଅଭିଭାବକ ବାଛନ୍ତି କିନ୍ତୁ ମା ତାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ପିତାଙ୍କ ମନୋନୀତ ଅଭିଭାବକ ଅବୈଧ ହେବେ ଏବଂ ମାତା ସନ୍ତାନର ପ୍ରାକୃତିକ ଅଭିଭାବକ ରୂପେ ଦାୟିତ୍ୱ ତୁଲାଇବେ।

ଇଚ୍ଛାପତ୍ର ଦ୍ଵାରା ମନୋନୀତ ଅଭିଭାବକ ଇଚ୍ଛାପତ୍ର ପ୍ରକାଶ ପରେପରେ ଅଭିଭାବକ ରୂପେ ଦିଆଦିଆଯାଇଥିବା ବ୍ୟକ୍ତି ଦାୟିତ୍ଵକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ଓ ନ୍ୟାୟାଳୟକୁ ଜଣାଇପାରନ୍ତି। ମାତ୍ର ସ୍ଵେଚ୍ଛାରେ ଥରୁଟିଏ ଅଭିଭାବକର ଦାୟିତ୍ଵ ଗ୍ରହଣ କରିବା ପରେ ସେ କୋର୍ଟଙ୍କ ଅନୁମତି ବିନା ଇସ୍ତଫା ଦେଇପାରିବେ ନାହିଁ। ନାବାଳକର ସୁରକ୍ଷାକୁ ଆଖି ଆଗରେ ରଖି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ପରେ ନ୍ୟାୟାଳୟ ଏଭଳି ଓହରିଆସିବା ପାଇଁ ଅନୁମତି ଦେଇପାରିବ।


ଏତଦବ୍ୟତୀତ ନାବାଳକର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ନ୍ୟାୟାଳୟ ଦ୍ୱାରା ତାର ସ୍ଵାର୍ଥରକ୍ଷା ନିମନ୍ତେ ଜଣେ ଅଭିଭାବକଙ୍କୁ ସାର୍ଟିଫିକେଟ ଦେଇ ନିଯୁକ୍ତ କରାଯାଇପାରିବ ।ଏହି ଭଳି ଅଭିଭାବକ ନିଯୁକ୍ତି ସମୟରେ ନାବାଳକର ବୟସ,ଲିଙ୍ଗ,ପିତାମାତାଙ୍କର ଇଚ୍ଛା ତଥା ନାବାଳକର ଧର୍ମ ଅନୁଯାୟୀ ତା' ଉପରେ କାର୍ଯ୍ୟକାରୀ ହେଉଥିବା ବ୍ୟକ୍ତିଗତ ଆଇନର ଆବଶ୍ୟକତାକୁ ଗୁରୁତ୍ଵ ଦିଆଯାଇଥାଏ।


ମୋହିନୀ ବନାମ ବିରେନ୍ଦ୍ର କୁମାର ମାମଲାରେ ଉଚ୍ଚତମ ନ୍ୟାୟାଳୟ ଏହା କହିଥିଲେ ଯେ,ଶିଶୁର କଷ୍ଟଡି ନିର୍ଦ୍ଧାରଣ କରିବା ନିମନ୍ତେ ପିତାମାତାଙ୍କର ଅଧିକାରକୁ ନୁହେଁ ବରଂ ଶିଶୁର ମଙ୍ଗଳକୁ ଦୃଷ୍ଟିରେ ରଖାଯାଇଥାଏ।


ଏହିଭଳି ନ୍ୟାୟାଳୟ ଦ୍ଵାରା ନିଯୁକ୍ତ ଅଭିଭାବକଙ୍କୁ ସାର୍ଟିଫାଏଡ ଗାର୍ଜନ ମଧ୍ୟ କୁହାଯାଇଥାଏ।ଅଧିନିୟମର ଧାରା ୧୩ ଅନୁଯାୟୀ ଯେ କୌଣସି ବ୍ୟକ୍ତିଙ୍କୁ ଅଭିଭାବକ ଭାବରେ ନିଯୁକ୍ତି ଦେବା ସମୟରେ ନାବାଳକଙ୍କ ସୁରକ୍ଷା ତଥା ସ୍ଵାର୍ଥକୁ ପ୍ରାଧାନ୍ୟ ଦିଆଯାଇଥାଏ।ଥରୁଟିଏ ଦାୟିତ୍ୱ ଗ୍ରହଣ ପରେ ନାବାଳକ ଜଣଙ୍କ ସାବାଳକ ହେବା ପର୍ଯ୍ୟନ୍ତ ସେହି ଅଭିଭାବକଙ୍କର ଦାୟିତ୍ଵ ରହିଥାନ୍ତି ଓ ଉକ୍ତ ସମୟ ମଧ୍ୟରେ ଦାୟିତ୍ଵରେ ଅବହେଳା କାରଣରୁ ନ୍ୟାୟାଳୟ ଚାହିଁଲେ ତାଙ୍କୁ ହଟାଇବା ତାଙ୍କ ସ୍ଥାନରେ ନୂତନ ଅଭିଭାବକ ନିଯୁକ୍ତ କରିପାରନ୍ତି। ନାବାଳକର ସୁରକ୍ଷା ତଥା କଲ୍ୟାଣକୁ ସୁରକ୍ଷିତ କରିବାରେ ନ୍ୟାୟାଳୟ ମଧ୍ୟ ସମୟ ସମୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Our Recent Posts

Law in Odia

India

LAW IN ODIA