• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ପରିବାରରେ ମୃତ୍ୟୁପରେ ସମ୍ପତ୍ତିର ନିର୍ଗମନ



ସମ୍ପତ୍ତି ନିର୍ଗମନର ଅର୍ଥ ହେଉଛି ଆଇନଗତ ପଦ୍ଧତିରେ ଆନୁଷ୍ଠାନିକ ଭାବରେ ସମ୍ପତ୍ତିକୁ ଧାରଣ କରିଥିବା ବ୍ୟକ୍ତିଙ୍କ ଠାରୁ ସମ୍ପତ୍ତିର ହସ୍ତାନ୍ତରଣ କରିବା। ବ୍ୟକ୍ତିର ମୃତ୍ୟୁ ପରେ ତାର ସଂପତି ନିର୍ଗମନ ନିମନ୍ତେ ବିଭିନ୍ନ ଧର୍ମରେ ଭିନ୍ନଭିନ୍ନ ନିୟମ ପ୍ରଚଳିତ ଅଛି ଯାହା ଅନୁସାରେ ବ୍ୟକ୍ତିଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ନିର୍ଦ୍ଧାରଣ କରାଯାଏ।ସାଧାରଣତଃ ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବ, ଏହା ମୁଖ୍ୟତଃ ଦୁଇଟି ମାଧ୍ୟମରେ ନିର୍ଣ୍ଣୟ କରାଯାଇଥାଏ, ପ୍ରଥମତଃ ଟେଷ୍ଟାମେଣ୍ଟାରୀ ଉତ୍ତରାଧିକାର ଏବଂ ଦ୍ୱିତୀୟଟି ହେଉଛି ଇଣ୍ଟେଷ୍ଟେଟ ଉତ୍ତରାଧିକାରୀ।


ଟେଷ୍ଟାମେଣ୍ଟାରୀ ଉତ୍ତରାଧିକାର ନିର୍ଗମନ ପ୍ରକ୍ରିୟାକୁ ୱିଲ୍ ମଧ୍ୟ କୁହାଯାଏ, ଏହା ଏକ ପ୍ରକାର ଉତ୍ତରାଧିକରଣ ପ୍ରକ୍ରିୟା ଯାହାକି ଏକ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଇଚ୍ଛାପତ୍ର ଦ୍ଵାରା ସ୍ଥିର କରି ଯାଇଥାଆନ୍ତି ଯେ, ତାଙ୍କ ମୃତ୍ୟୁ ପରେ ତାଙ୍କ ଭାଗର ସମ୍ପତ୍ତିକୁ କିଭଳି ଭାବରେ ବଣ୍ଟାଯିବା ଉଚିତ । ଯଦି ବ୍ୟକ୍ତି ସେଭଳି କୈାଣସି ଇଚ୍ଛାପତ୍ର ପ୍ରସ୍ତୁତ କରିନାହାନ୍ତି,ତେବେ ଇଣ୍ଟେଷ୍ଟେଟ ପଦ୍ଧତି ଅର୍ଥାତ ଧର୍ମର ନିୟମ ପଦ୍ଧତିରେ ତାଙ୍କର ଉତ୍ତରାଧିକାରୀ ଚିହ୍ନିତ ହୁଏ। ବ୍ୟକ୍ତିର ମୃତ୍ୟୁ ପରେ ଯେଉଁମାନେ ସମ୍ପତ୍ତି ଅଧିଗ୍ରହଣ କରନ୍ତି ତାଙ୍କୁ ଉତ୍ତରାଧିକାରୀ ବା ଲିଗାଲ ହେୟାର ବୋଲି କୁହାଯାଇଥାଏ।


ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ଅନୁଯାୟୀ ଯଦି ଜଣେ ହିନ୍ଦୁ ପୁରୁଷଙ୍କର ମୃତ୍ୟୁ ହୁଏ,ତେବେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ନିମ୍ନ ଶ୍ରେଣୀରେ ଚିହ୍ନଟ କରାଯାଇଥାଏ ।


(I) ଶ୍ରେଣୀ ୧ ଉତ୍ତରାଧିକାରୀ ।


୧.ପୁଅ,ଝିଅ


୨. ବିଧବା


୩. ମା'


୪. ପୂର୍ବ-ମୃତ ପୁତ୍ରର ପୁତ୍ର /କନ୍ୟା


୫ ପୂର୍ବ-ମୃତ ଝିଅର ପୁଅ / ଝିଅ


୬ ପୂର୍ବ ମୃତ ପୁତ୍ରର ବିଧବା ।


୭ ପୂର୍ବ-ମୃତ ପୁତ୍ରର ପୂର୍ବ ମୃତ ପୁତ୍ରର ପୁତ୍ର /କନ୍ୟା


୮ ପୂର୍ବ-ମୃତ ପୁଅର ପୂର୍ବ ମୃତ ପୁଅର ବିଧବା ।


୮ ଏକ ପୂର୍ବ-ମୃତ ଝିଅର ପୂର୍ବ ମୃତ ଝିଅର ପୁତ୍ର ।


୧୦ ପୂର୍ବ-ମୃତ ଝିଅର ପୂର୍ବ- ମୃତ ଝିଅର ଝିଅ।


୧୧ ପୂର୍ବ-ମୃତ କନ୍ୟାର ପୂର୍ବ ମୃତ ପୁତ୍ରର ଝିଅ


୧୨ ପୂର୍ବ-ମୃତ ପୁତ୍ରର ପୂର୍ବ ମୃତ କନ୍ୟାର କନ୍ୟା


ଏହି ଶ୍ରେଣୀରେ ଉତ୍ତରାଧିକାରୀଙ୍କ ମଧ୍ୟରେ ସମ୍ପତ୍ତିର ସମାନ ବିଭାଜନ ହୋଇଥାଏ ।ଅର୍ଥାତ ଏହି ଶ୍ରେଣୀର ଉତ୍ତରାଧିକାରୀମାନେ ସମ୍ପତ୍ତିରେ ସମାନ ଭାଗ ପାଇଥାଆନ୍ତି।


ଏ‌ହି ଶ୍ରେଣୀରେ ବ୍ୟବହୃତ ଶବ୍ଦ "ପୁତ୍ର" ଓ "କନ୍ୟା" ଶବ୍ଦଟି ଉଭୟ ଜନ୍ମିତ ତଥା ପୋଷ୍ୟ ପୁତ୍ର ତଥା ପୁତ୍ରୀକୁ ସୂଚୀତ କରିଥାଏ।ସାବତ ସନ୍ତାନକୁ ବା ଅବୈଧ ସନ୍ତାନକୁ ଏହା ଚିହ୍ନିତ କରିନଥାଏ।


ବିଧବା ଶବ୍ଦଟି ବୈଧ ଭାବରେ ହୋଇଥିବା ବିବାହର ବିଧବାକୁ ସୂଚୀତ କରେ।ଯଦି ମୃତ ବ୍ୟକ୍ତିର ଏକରୁ ଅଧିକ ବିଧବା ଥାଆନ୍ତି,ତେବେ ସମସ୍ତେ ମିଶି ଗୋଟିଏ ପୁତ୍ର ନେଉଥିବା ଭାଗ ସହ ସମାନ ପରିମାଣରେ ଭାଗ ନେଇଥାଆନ୍ତି ଏବଂ ନିଜ ମଧ୍ୟରେ ସମାନ ଭାବରେ ବାଣ୍ଟି ଥାଆନ୍ତି।


(II) ଶ୍ରେଣୀ ୨ ଉତ୍ତରାଧିକାରୀ ।


ଭାଗ ୧


୧. ପିତା


ଭାଗ ୨


୨.ପୁଅର ଝିଅର ପୁଅ ବା ପୁଅର ଝିଅର ଝିଅ, ଭାଇ, ଭଉଣୀ


ଭାଗ ୩


୩.ଝିଅର ପୁଅର ପୁଅ ବା ଝିଅ,ଝିଅର ଝିଅର ପୁଅ ବା ଝିଅ

ଭାଗ ୪


୪.ଭାଇର ପୁଅ ବା ଝିଅ ,ଭଉଣୀର ପୁଅ ବା ଝିଅ


ଭାଗ ୫


୫.ବାପାଙ୍କର ବାପା/ମା


ଭାଗ ୬


୬.ବାପାଙ୍କର ବିଧବା/ଭାଇର ବିଧବା


ଭାଗ ୭


୭.ବାପାଙ୍କର ଭାଇ/ଭଉଣୀ


ଭାଗ ୮


୮.ମାଆର ବାପା/ମାଆ


ଭାଗ ୯


୯.ମାଆର ଭାଇ/ଭଉଣୀ


ଏହି ଶ୍ରେଣୀରେ ପ୍ରତ୍ୟେକ ଭାଗର ଉତ୍ତରାଧିକାରୀ ତାଙ୍କ ପରଭାଗର ଉତ୍ତରାଧିକାରୀମାନଙ୍କୁ ନିର୍ବାସିତ କରିଥାନ୍ତି।ଏହାର ଅର୍ଥ ଯଦି ଗୋଟିଏ ଏହି ଶ୍ରେଣୀରେ ଗୋଟିଏ ଭାଗର ଉତ୍ତରାଧିକାରୀ ଜୀବିତ,ତେବେ ସମ୍ପତ୍ତିଟି ତା' ପର ଭାଗର ଉତ୍ତରାଧିକାରୀଙ୍କ ନିକଟକୁ ଆସିନଥାଏ।ଉଦାହରଣସ୍ଵରୂପ ଯଦି ମୃତ ବ୍ୟକ୍ତିର ବାପା ଜୀବିତ,ତେବେ ସମ୍ପତ୍ତିଟି ପରବର୍ତ୍ତୀ ଭାଗରେ ଥିବା ପୁଅର ଝିଅର ପୁଅ ବା ପୁଅର ଝିଅର ଝିଅ, ଭାଇ, ଭଉଣୀଙ୍କ ପାଖକୁ ଯାଇନଥାଏ।


(iii)ଆଗ୍ନେସ୍ଟସ ବା କୁଟୁମ୍ବ


ଜଣେ ସାଧାରଣ ପିତୃପୁରୁଷ କିମ୍ବା ପୁରୁଷ ବଂଶାନୁକ୍ରମିକ ସମ୍ପର୍କରୁ ପୁରୁଷ ସୂତ୍ର ଦ୍ୱାରା ଏକ ପୁରୁଷ କିମ୍ବା ମହିଳା ବଂଶଧରଙ୍କୁ ଆଗ୍ନେସ୍ଟସ କୁହାଯାଏ ।


(iv)କଗ୍ନେସ୍ଟସ ବା ଜ୍ଞାତି


ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କର କଗ୍ନେସ୍ଟସ ବୋଲି କୁହାଯାଏ ଯଦି ଦୁଇଜଣ ରକ୍ତ କିମ୍ବା ପୋଷ୍ୟ ସନ୍ତାନ ସହିତ ଜଡିତ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ପୁରୁଷଙ୍କ ମାଧ୍ୟମରେ ନୁହେଁ ଏବଂ ସମ୍ପର୍କ ଭିତରେ ଅତିକମରେ ଜଣେ ମହିଳାଙ୍କ ସୂତ୍ର ରହିଛି।


ବିନା ୱିଲରେ ମୃତ୍ୟୁବରଣ କରୁଥିବା ହିନ୍ଦୁଙ୍କ ସମ୍ପତ୍ତି ନିର୍ଗମନ ପାଇଁ ହିନ୍ଦୁ ଉତ୍ତରାଧିକରଣ ଅଧିନିୟମର ଧାରା ୮ରୁ ୧୩ ପ୍ରୟୋଗ ହୁଏ।ଏହା ଅନୁଯାୟୀ ଯଦି ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି,ତେବେ ସମ୍ପତ୍ତି ପ୍ରଥମେ ଶ୍ରେଣୀ ୧ ରେ ଥିବା ଉତ୍ତରାଧିକାରୀଙ୍କ ପାଖକୁ ଯିବ।୨୦୦୫ର ସଂଶୋଧନ ପରେ ଶ୍ରେଣୀ ୧ର ଉତ୍ତରାଧିକାରୀଙ୍କ ମଧ୍ୟରୁ ୧୧ ଜଣ ମହିଳା ଏବଂ ପାଞ୍ଚଜଣ ପୁରୁଷ।


ଯଦି ମୃତ ବ୍ୟକ୍ତିର ପ୍ରଥମ ଶ୍ରେଣୀରେ କେହି ଉତ୍ତରାଧିକାରୀ ଜୀବିତ ନଥାନ୍ତି,ତେବେ ସମ୍ପତ୍ତିଟି ଦ୍ଵିତୀୟ ଶ୍ରେଣୀର ଉତ୍ତରାଧିକାରୀଙ୍କ ପାଖକୁ ଚାଲିଯାଏ।


ବେଳେବେଳେ ଏମିତି ହୋଇଥାଏ ଯେ,ବ୍ୟକ୍ତିଙ୍କର ପ୍ରଥମ ବା ଦ୍ଵିତୀୟ ଶ୍ରେଣୀରେ କେହି ଉତ୍ତରାଧିକାରୀ ଜୀବିତ ନଥାନ୍ତି।ସେ କ୍ଷେତ୍ରରେ ,ତାହା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ଶ୍ରେଣୀର ଉତ୍ତରାଧିକାରୀଙ୍କ ପାଖକୁ ଚାଲିଯାଏ।


ଯଦି ବ୍ୟକ୍ତି ଜଣଙ୍କ ମୃତ୍ୟୁ ପୂର୍ବରୁ କୈାଣସି ଇଚ୍ଛାପତ୍ର ପ୍ରସ୍ତୁତ କରିନାହାନ୍ତି ଏବଂ ତାଙ୍କର କେହି ଆଗ୍ନେସ୍ଟସ ବା କଗ୍ନେସ୍ଟସ ନାହାନ୍ତି , ତେବେ ମୃତ ବ୍ୟକ୍ତିଙ୍କ ସମସ୍ତ ସମ୍ପତ୍ତି ସରକାର ଅଧୀନକୁ ଚାଲିଯାଏ ।


ମହିଳାଙ୍କର ବିନା ଇଚ୍ଛାପତ୍ରରେ ମୃତ୍ୟୁ ଘଟିଲେ ,ତାଙ୍କର ସମ୍ପତ୍ତି ନିର୍ଗମନର ପ୍ରକ୍ରିୟା ଉତ୍ତରାଧିକାର ଅଧିନିୟମର ଧାରା ୧୪ରୁ ୧୬ଦ୍ଵାରା ନିୟନ୍ତ୍ରିତ ହୁଏ।


-ତାଙ୍କର ମୃତ୍ୟୁପରେ ପ୍ରଥମତଃ ସମ୍ପତ୍ତିଟି ତାଙ୍କ ପୁତ୍ର,କନ୍ୟା ତଥା ପତିଙ୍କ ପାଖକୁ ଚାଲିଯାଏ।ପୂର୍ବ ମୃତ ପୁତ୍ରକନ୍ୟାଙ୍କ କ୍ଷେତ୍ରରେ ଏହା ସେମାନଙ୍କ ସନ୍ତାନ ପାଖକୁ ଚାଲିଯାଏ।ଏହି କ୍ଷେତ୍ରରେ ସମ୍ପତ୍ତିଟି ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ଭାଗ ହୋଇଥାଏ।


-ଯଦି ଏହି ଶ୍ରେଣୀରେ କେହି ଜୀବିତ ନାହାନ୍ତି ତେବେ ଦ୍ଵିତୀୟତଃ ସମ୍ପତ୍ତିଟି ତାଙ୍କ ପତିଙ୍କର ଉତ୍ତରାଧିକାରୀଙ୍କ ପାଖକୁ ଚାଲିଯାଏ।


- ତୃତୀୟତଃ,ଯଦି ସେ ଶ୍ରେଣୀରେ ମଧ୍ୟ କେହି ଜୀବିତ ନାହାନ୍ତି, ଏହା ମୃତ ମହିଳାଙ୍କର ମାତାପିତାଙ୍କ ପାଖକୁ ଯାଇଥାଏ।


-ସେମାନଙ୍କର ଅନୁପସ୍ଥିତରେ ଚତୁର୍ଥତଃ ଏହା ପିତାଙ୍କର ଉତ୍ତରାଧିକାରୀ ଏବଂ ପଞ୍ଚମ କ୍ଷେତ୍ରରେ ଏହା ମାତାଙ୍କର ଉତ୍ତରାଧିକାରୀଙ୍କ ପାଖକୁ ହସ୍ତାନ୍ତରିତ ହୋଇଥାଏ।


Our Recent Posts

Law in Odia

India

LAW IN ODIA