• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ବିବାହର ନ୍ୟାୟିକ ପୃଥକୀକରଣ


ଯେ କୌଣସି ସମାଜ ବା ଧର୍ମ ଏବଂ ସଂପ୍ରଦାୟ ହେଉନା କାହିଁକି, ସବୁଠାରେ ବିବାହ ରୂପକ ଅନୁଷ୍ଠାନର ଗୁରୁତ୍ଵ ଖୁବ ଅଧିକ ରହିଥାଏ। ହିନ୍ଦୁ ଧର୍ମରେ ବିବାହକୁ ଦୁଇଟି ଆତ୍ମାର ମିଳନ ଓ ଏହା ସ୍ଵର୍ଗରେ ସ୍ଥିରୀକୃତ ହୋଇଥିବା କଥା ବିଶ୍ଵାସ କରାଯାଏ। ଏହି ଧର୍ମରେ ପରମ୍ପରାଗତ ନୀତିନିୟମ ଅନୁଯାୟୀ ବିବାହ ସମ୍ପାଦନ ନିମନ୍ତେ ହିନ୍ଦୁ ବିବାହ ଅଧିନିୟମର ନିମ୍ନଲିଖିତ ସର୍ତ୍ତଗୁଡିକ ପୂରଣ ହେବା ଏକାନ୍ତ ଆବଶ୍ୟକ-


(i) ବିବାହ ସମୟରେ କୌଣସି ପକ୍ଷର ଜୀବନସାଥୀ ଜୀବିତ ନଥିବେ;


(ii) ବିବାହ ସମୟରେ କୌଣସି ପକ୍ଷ ମାନସିକ ଅକ୍ଷମତାର ଶିକାର ହୋଇନଥିବେ।


(iii) ବିବାହ ନିମନ୍ତେ ବରଟିର ବୟସ ଏକୋଇଶ ବର୍ଷ ବୟସରୁ ଉର୍ଦ୍ଧ୍ବ ଓ କନ୍ୟାଟିର ବୟସ ଅଠର ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।


(iv) ବିବାହ କରୁଥିବା ପକ୍ଷଗୁଡିକ ନିଷିଦ୍ଧ ସମ୍ପର୍କର ପରିସର ଅଥବା ପରସ୍ପର ସହ ସପିଣ୍ତ ସମ୍ପର୍କ ମଧ୍ୟରେ ନଥିବେ ।ତେବେ ଯଦି ଏହାକୁ ପ୍ରଥା ଅନୁମୋଦନ କରୁଥିବ,ସେ କ୍ଷେତ୍ରରେ ତାହା ଗ୍ରହଣ ଯୋଗ୍ୟ ହୋଇପାରିବ।


ହିନ୍ଦୁ ବିବାହର ପବିତ୍ର ସମ୍ପର୍କ ଆଇନ ସାହାଯ୍ୟରେ ବିଚ୍ଛେଦ ହେବା ପୂର୍ବରୁ ଶେଷଥର ପାଇଁ ଯୋଡିବାର ପ୍ରୟାସ କରିବାର ଲକ୍ଷ୍ୟ ନେଇ ହିନ୍ଦୁ ବିବାହ ଅଧିନିୟମ୧୯୫୫ରେ ନ୍ୟାୟିକପୃଥକୀକରଣ ଅର୍ଥାତ୍ ଜୁଡିସିଆଲ ସେପାରେସର ବ୍ୟବସ୍ଥା ଯୋଗ କରାଯାଇଛି ।ଯଦିଓ ଏହି ବ୍ୟବସ୍ଥାରେ ଉଭୟପକ୍ଷ ବୈବାହିକ ଦାୟିତ୍ୱରୁ ସାମୟିକ ଭାବେ ମୁକ୍ତ ହୋଇଥାନ୍ତି, ତଥାପି ଏହାକୁ ସାମୟିକ ବିବାହ ବିଚ୍ଛେଦର ଆଖ୍ୟା ଦିଆଯାଇପାରିବନାହିଁ କାରଣ ଆଇନର ଆଖିରେ ସେମାନେ ଏବେ ବି ବିବାହିତ।


ବିବାହ ବିଚ୍ଛେଦ ପରି ଏହି ବ୍ୟବସ୍ଥା ବିବାହର ସଂପୂର୍ଣ୍ଣ ବିଲୋପ ଘଟାଇନଥାଏ ବରଂ ପତିପତ୍ନୀଙ୍କୁ ନିର୍ଦ୍ଦିଷ୍ଟ ସମୟ ନିମନ୍ତେ ପରସ୍ପରଠାରୁ ଅଲଗା କରାଇଥାଏ।ଉକ୍ତ ପ୍ରକ୍ରିୟା ପରେ ପରସ୍ପରର ଅଭାବ ଅନୁଭବ କରି ପତିପତ୍ନୀ ଚାହିଁଲେ ପୁନଶ୍ଚ ସାଥିରେ ରହି ସୁସ୍ଥ ବୈବାହିକ ଜୀବନ ଅତିବାହିତ କରିପାରନ୍ତି ଅଥବା ପରସ୍ପରକୁ ଛାଡପତ୍ରଦେଇ ବିବାହର ବିଲୋପ କରିପାରନ୍ତି।


ହିନ୍ଦୁ ବିବାହ ଆଇନର ଧାରା ୧୦(୧)ରେ ନ୍ୟାୟିକ ପୃଥକତା ପାଇଁ ପ୍ରଦାନ କରେ । ଏହା ପ୍ରଦାନ କରେ ଯେ ଧାରା ୧୩(୧)ରେ ସ୍ଥାନିତ ଯେ କୌଣସି କାରଣ ପାଇଁ ବିବାହର ଉଭୟ ପକ୍ଷ ନ୍ୟାୟିକ ପୃଥକୀକରଣ ନିମନ୍ତେ ନ୍ୟାୟାଳୟର ଆବେଦନ କରିପାରିବେ:


(i) ଯେ ବିବାହର ସମାରୋହ ପରେ ଅନ୍ୟ ପକ୍ଷ ତାଙ୍କ ବୈବାହିକ ସାଥୀ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହିତ ସ୍ବେଚ୍ଛାକୃତ ଶାରୀରିକ ସମ୍ପର୍କ ରଖିଛନ୍ତି;


(ii) ଯେ ବିବାହର ସମାରୋହ ପରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷଙ୍କୁ ନିର୍ଦ୍ଦୟ ଭାବରେ ବ୍ୟବହାର କରିଛନ୍ତି;


(iii) ଆବେଦନପତ୍ରର ଉପସ୍ଥାପନା କରିବାର ଅତି କମରେ ଦୁଇବର୍ଷ ପୂର୍ବରୁ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ତ୍ୟାଗ କରିଛନ୍ତି।


ସାବିତ୍ରୀ ପାଣ୍ଡେ ବନାମ ପ୍ରେମଚାନ୍ଦ ପାଣ୍ଡେ ମାମଲାରେ ଏହା ଦେଖାଯାଇଥିଲା ଯେ,ପରିତ୍ୟାଗ କ୍ଷେତ୍ରରେ ବିଚ୍ଛେଦ ପାଇଁ ଆବେଦନ କରିଥିବା ପକ୍ଷଟି ଉକ୍ତ କ୍ଷେତ୍ରରେ ପୀଡିତ ହୋଇଥିବା ଆବଶ୍ୟକ।


(iv) ଅନ୍ୟ ପକ୍ଷ ଅନ୍ୟ ଧର୍ମକୁ ଗ୍ରହଣ କରି ହିନ୍ଦୁ ହୋଇରହିନାହାନ୍ତି;


(v) ଯେ ଅନ୍ୟ ପକ୍ଷ ମାନସିକ ଅକ୍ଷମ ହୋଇପଡିଛନ୍ତି କିମ୍ବା ଏପରି ପ୍ରକାରର ମାନସିକ ବିକାରରୁ ନିରନ୍ତର କିମ୍ବା ମଧ୍ୟବର୍ତ୍ତୀକାଳୀନ ଅସୁସ୍ଥତା ଭୋଗୁଛନ୍ତି ଏବଂ ଏପରି ପରିମାଣରେ ଆବେଦନକାରୀ ଅନ୍ୟ ପକ୍ଷ ସହିତ ରହିବାକୁ ଆଶା କରିପାରୁନାହାଁନ୍ତି;


ଶୋଭା ରାଣୀ ବନାମ ଏମ ରେଡ୍ଡୀ ମାମଲାରେ ଏହା ଦେଖାଯାଇଥିଲା ଯେ,ନିଷ୍ଠୁରତା ନିମନ୍ତେ ଦୁଇଟି କ୍ଷେତ୍ର ଦେଖିବା ଆବଶ୍ୟକ ହୋଇଥାଏ।ପ୍ରଥମତଃ ସେ କାର୍ଯ୍ୟର ପ୍ରକୃତି ଓ ଦ୍ଵିତୀୟତଃ ପୀଡିତଙ୍କ ଉପରେ ତାହାର ପରିଣାମ।


(vi) ଯେ ଅନ୍ୟ ପକ୍ଷ ଦୂରାରୋଗ୍ୟ କୁଷ୍ଠରୋଗରେ ପୀଡ଼ିତ ହୋଇଛନ୍ତି କିମ୍ବା


(vii)ଯେ ଅନ୍ୟ ପକ୍ଷ ଏକ ଯୌନ ସଂକ୍ରାମକ ରୋଗରେ ପୀଡିତ ହୋଇଛନ୍ତି; କିମ୍ବା


(viii) ଅନ୍ୟ ଦଳ କୌଣସି ଧାର୍ମିକ କାର୍ଯ୍ୟରେ ପ୍ରବେଶ କରି ସାଂସାରିକ କର୍ତ୍ତବ୍ୟ ତ୍ୟାଗ କରିଛନ୍ତି;


ପତ୍ନୀଙ୍କ କ୍ଷେତ୍ରରେ, ସେ ଦୁଇଟି ଅତିରିକ୍ତ କାରଣ ଉପରେ ନ୍ୟାୟିକ ପୃଥକତାର ଉପରୋକ୍ତ ରିଲିଫ୍ ପାଇବାକୁ ହକଦାର:

(କ) ସ୍ୱାମୀ ବିବାହର ସମାରୋହ ପରଠାରୁ ବଳାତ୍କାର, ସୋଡୋମି କିମ୍ବା ବେଷ୍ଟିଆଲିଟିରେ ଦୋଷୀ;


ଖ)ଉଭୟ ପକ୍ଷ ମଧ୍ୟରେ ନ୍ୟାୟିକ ପୃଥକୀକରଣର ଏକ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ପାଇଁ ପୁନର୍ମିଳନ ହୋଇନାହିଁ ।


(ଗ) ଯେ ୧୫ ବର୍ଷ ବୟସ ହେବା ପୂର୍ବରୁ ତାଙ୍କ ବିବାହ ଉତ୍ସବ ହୋଇଥିଲା ଏବଂ କିନ୍ତୁ ସେ ୧୮ ବର୍ଷ ବୟସ ପୂର୍ବରୁ ବିବାହକୁ ପ୍ରତ୍ୟାଖ୍ୟାନ କରିଥିଲେ ।


ଉପରୋକ୍ତ କାରଣ ସମୂହକୁ ଆଖି ଆଗରେ ରଖି କୋର୍ଟ ନ୍ୟାୟିକ ପୃଥକତା ପାଇଁ ଏକ ଆଦେଶ ପାରିତ କରିପାରିବେ ଏବଂ ଯେଉଁଠାରେ ନ୍ୟାୟିକ ପୃଥକତା ପାଇଁ ଏକ ଆଦେଶ ଆପଣଙ୍କ ସପକ୍ଷରେ ପାସ ହୋଇଛି, ଆପଣଙ୍କ ବିବାହିତ ସାଥୀଙ୍କ ସହ ରହିବା ଆପଣଙ୍କ ପାଇଁ ଆଉ ବାଧ୍ୟତାମୂଳକ ହେବ ନାହିଁ ।


ଯେଉଁଠାରେ କୋର୍ଟ ଏହାର ରଦ୍ଦକୁ ଯଥାର୍ଥ ଏବଂ ଯୁକ୍ତିଯୁକ୍ତ ବିବେଚନା କରନ୍ତି ଏବଂ ଉଭୟ ପକ୍ଷର ସକରାତ୍ମକ ପ୍ରସ୍ତାବର ସନ୍ତୁଷ୍ଟ ହୁଅନ୍ତି ,ସେସ୍ଥାନରେ ନ୍ୟାୟିକ ପୃଥକ ପୃଥକ ଆଦେଶକୁ ରଦ୍ଦ କରିପାରନ୍ତି ।

Our Recent Posts