• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ଯୌଥ ପରିବାରରେ ବିଭାଜନ



ଆପଣମାନେ ଯୌଥ ପରିବାର ବିଷୟରେ ତ ଜାଣିଥିବେ,ତାହା ଏମିତି ଏକ ପରିବାର ଯେଉଁଠି ପିଢ଼ି ପରେ ପିଢ଼ି ସମସ୍ତେ ଏକାଠି ରୁହନ୍ତି ଓ ପରିବାରର ସମ୍ପତ୍ତି ଅବିଭାଜିତ ହୋଇ ରହିଥାଏ।ତେବେ ଯୌଥ ପରିବାର ଭାଙ୍ଗିବା ସମୟରେ ପରିବାରର ସମ୍ପତ୍ତି ବିଭାଜନ ହୋଇଥାଏ।ବିଭାଜନ ହେଉଛି ଏକ କାର୍ଯ୍ୟ ଯାହା ଦ୍ଵାରା ଜଣେ କପର୍ସେନର୍ ବା ଉତ୍ତରାଧିକାରୀ ମିଳିତ ପରିବାର ସହିତ ତାଙ୍କର ସମ୍ପର୍କକୁ ବିଚ୍ଛିନ୍ନ କରି କପର୍ସେନରର ସ୍ଥିତି ହରାଇଥାଏ ।


ଆପ୍ରୋଭିଅର୍ ବନାମ ରାମ ସୁବା ଆୟର୍ରେ ଲର୍ଡ ୱେଷ୍ଟବେରୀ କହିଥିଲେ ଯେ “ପରିବାର ଯେତେବେଳେ ଅବିଭକ୍ତ ହୋଇ ରହିଥାଏ,ଏହାର କୌଣସି ସଦସ୍ୟ ସେତେବେଳେ ମିଳିତ ଏବଂ ଅବିଭକ୍ତ ସମ୍ପତ୍ତିରେ ବ୍ୟକ୍ତିଗତ ଭାଗକୁ ପୂର୍ବାନୁମାନ କରିପାରିବେ ନାହିଁ। "ଯେପର୍ଯ୍ୟନ୍ତ ସମ୍ପତ୍ତି ଅବିଭକ୍ତ ରହିଥାଏ,ସେ ପର୍ଯ୍ୟନ୍ତ କୈାଣସି ସଦସ୍ୟଙ୍କର ସମ୍ପତ୍ତିରେ ନିର୍ଦ୍ଦିଷ୍ଟ ଭାଗ ସ୍ଥିର କରାଯାଇନଥାଏ।ଥରୁଟିଏ ନିର୍ଦ୍ଦିଷ୍ଟ ଭାଗ ସ୍ଥିର ହେଲେ ଯୌଥ ପରିବାର ଭାଙ୍ଗିଗଲା ବୋଲି କୁହାଯାଏ।


ବିଭାଜନର ଅର୍ଥ-


ବିଭିନ୍ନ ହିନ୍ଦୁ ବିଚାରଧାରା ଅଥବା ବିଭାଗ ଅନୁଯାୟୀ ବିଭାଜନର ସଂଜ୍ଞା ଓ ସୂତ୍ର ଅଲଗା ଅଲଗା ହୋଇଥାଏ। ଦାୟଭାଗ ବିଭାଗ ବା ବିଚାରଧାରା ଅଧୀନରେ, ବିଭାଜନର ଅର୍ଥ ହେଉଛି ସମସ୍ତ ସମ୍ପତ୍ତିର ମିଳିତ ଧାରଣର ବିଭାଜନ ଏବଂ ସମସ୍ତ ଉତ୍ତରାଧିକାରୀଙ୍କ ଭିତରେ ବଣ୍ଟନ।ମିତାକ୍ଷରା ବିଚାରଧାରା ଅଧୀନରେ ବିଭାଜନର ଅର୍ଥ ହେଉଛି କେବଳ ମିଳିତ ସ୍ଥିତିର ବିଚ୍ଛିନ୍ନତା।


ବିଭାଜନର ବିଷୟ-


ଏହି ଯୌଥ ପରିବାରର ବିଭାଜନ ସମୟରେ କେବଳ କପାର୍ସେନାରୀ ସମ୍ପତ୍ତି ଅର୍ଥାତ୍ ପିଢିପରେ ପିଢ଼ି ଚାଲିଆସୁଥିବା ପୈତୃକ ସମ୍ପତ୍ତିର ହିଁ ବିଭାଜନ ହୋଇପାରିବ ।କୈାଣସି ସଦସ୍ୟଙ୍କ ବ୍ୟକ୍ତିଗତ ଉଦ୍ୟମରେ ପ୍ରାପ୍ତ ସମ୍ପତ୍ତି ସମୂହ ଭାଗ ଯୋଗ୍ୟ ନୁହେଁ ଅର୍ଥାତ ଯେଉଁ ସମ୍ପତ୍ତି ପରିବାରର ନିର୍ଦ୍ଦିଷ୍ଟ ବ୍ୟକ୍ତି ନିଜ ଯୋଗ୍ୟତାରେ ଲାଭ କରିଥିବେ,ତାହା ତାଙ୍କ ନିଜର ହୋଇ ରହିଥାଏ ଏବଂ ତାହାର ବିଭାଜନ ହୋଇନଥାଏ।


ପୁନମ୍ ମିଶ୍ର ବନାମ ରାଜକୁମାରୀ ମିଶ୍ରରେ ହାଇକୋର୍ଟ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଅର୍ଜନ ହୋଇଥିବା ସମ୍ପତ୍ତି ସ୍ଵୟଂ ପ୍ରାପ୍ତ ସମ୍ପତ୍ତି ଭାବରେ ପରିଗଣିତ ହେବ ଏବଂ ଏହାକୁ ବିଭାଜନରୁ ବାଦ ଦେବାକୁ ପଡିବ।ମାତ୍ର ଯଦି ବ୍ୟକ୍ତି ଜଣଙ୍କ ପରିବାରର ସମତ୍ତିର ଉପଯୋଗ କରି ସେହି ସମ୍ପତ୍ତିକୁ ହାସଲ କରିଥିବେ ଅଥବା ନିଜର ସ୍ଵଅର୍ଜିତ ସମ୍ପତ୍ତିକୁ ନିଜ ଇଚ୍ଛାରେ ଯୌଥପରିବାରର ସମ୍ପତ୍ତି ସହ ମିଶ୍ରିତ କରାଇଥିବେ,ତେବେ ତାହା ବିଭାଜନ ଯୋଗ୍ୟ । କହିବାବାହୁଲ୍ୟ,କେବଳ ଆଗରୁ କେବଳ ମିଳିତ ସ୍ଥିତିରେ ଥିବା ଏବଂ ସାଧାରଣ ଭାବରେ ପିଢି ପରେ ପିଢି ବ୍ୟବହାର ହେଉଥିବା ସମ୍ପତ୍ତି ହିଁ ବିଭାଜନରେ ଭାଗଯୋଗ୍ୟ ହୋଇଥାଏ।


ସମ୍ପତ୍ତି ଏବଂ ବିଭାଜନର ନିୟମ -


ତେବେ ବିଭାଜନ ସମୟରେ ସମସ୍ତ ସମ୍ପତ୍ତି ସ୍ଥୂଳ ଭାବରେ ବିଭାଜନ ଯୋଗ୍ୟ ହୋଇନଥାନ୍ତି‌।ମନୁଙ୍କ ଅନୁଯାୟୀ, “ଏକ ପୋଷାକ, ଯାନ, ଅଳଙ୍କାର, ରନ୍ଧା ଖାଦ୍ୟ, ଜଳ ଏବଂ ମହିଳା ଦାସ, ଧାର୍ମିକ ବ୍ୟବହାର ତଥା ବଳିଦାନ ପାଇଁ ପୃଥକ ସମ୍ପତ୍ତି ଏବଂ ଏକ ଚାରଣ ଭୂମି ଅବିଚ୍ଛେଦ୍ୟ।


-ପ୍ରକୃତି ଦ୍ଵାରା ଅବିଚ୍ଛେଦ୍ୟ ସମ୍ପତ୍ତି ଯଥା ପ୍ରାଣୀ, ଆସବାବପତ୍ର ଇତ୍ୟାଦି ବିଭାଜନ ଅଯୋଗ୍ୟ ହୋଇଥାଏ ।ସେସବୁକୁ ଉତ୍ତରାଧିକାରୀ ମାନେ ମିଳିତ ଭାବରେ ଉପଭୋଗ କରିପାରନ୍ତି ଅଥବା ବିଭାଜନ ସମୟରେ ସେମାନଙ୍କର ମୂଲ୍ୟ ନିର୍ଣ୍ଣୟ କରାଯାଇ ଭାଗ କରାଯାଇପାରେ।


-ଏକ ନିର୍ଦ୍ଦିଷ୍ଟ ଗୁଣ ଥିବା ସମ୍ପତ୍ତି ଯଥା ପାରିବାରିକ ମୂର୍ତ୍ତି ଏବଂ ପୂଜାପାଠ ସ୍ଥାନଗୁଡିକ ମଧ୍ୟ ଭାଗ କରାଯାଇପାରିବ ନାହିଁ ।


- ପାହାଚ, ପ୍ରାଙ୍ଗଣ, ଟ୍ୟାଙ୍କ, ସଡକ, ପଥ ଯେଉଁ ସବୁ ବିଭାଜନରେ ଅଯୋଗ୍ଯ ଓ ଏହା ସମସ୍ତଙ୍କ ମଧ୍ୟରେ ବ୍ୟବହୃତ ହୋଇପାରେ।


ଗୋଟିଏ ବିଭାଜନ ହେବା ପୂର୍ବରୁ କିଛି ବ୍ୟବସ୍ଥା କରାଯାଇଥାଏ । ବିଭାଜିତ ହେବାକୁ ଥିବା ସମ୍ପତ୍ତିରୁ ପ୍ରଥମେ:


୧. ମିଳିତ ପରିବାର ପକ୍ଷରୁ ନିଆଯାଇ ସୁଝିବାକୁ ଥିବା ଋଣର ପରିମାଣ ଅଲଗା କରାଯାଏ।


୨. ନିର୍ଭରଶୀଳ ମହିଳା ସଦସ୍ୟ ଏବଂ ଅଯୋଗ୍ୟତାରେ ପୀଡ଼ିତ ଉତ୍ତରାଧିକାରୀମାନଙ୍କର ରକ୍ଷଣାବେକ୍ଷଣ ପାଇଁ କିଛି ଭାଗ ଅଲଗା କରାଯାଏ ।


୩. ଶେଷ ପୁରୁଷ ଧାରାରେ ଥିବା ବ୍ୟକ୍ତିଙ୍କର ଅବିବାହିତ ଝିଅମାନଙ୍କର ବିବାହ ଖର୍ଚ୍ଚ ।

୪. ଅନ୍ତିମ କ୍ରିୟା ତଥା ସଂସ୍କାରର ଖର୍ଚ୍ଚ।

ଏସବୁ ଖର୍ଚ୍ଚ ବିଭାଜନ ଯୋଗ୍ୟ ସମ୍ପତ୍ତିରୁ ଅଲଗା କରିଦେବା ପରେ ହିଁ ସମ୍ପତ୍ତିଟି ଭାଗ ଯୋଗ୍ୟ ହୋଇଥାଏ।ଯଦି ବିଭାଜନ ପୂର୍ବରୁ ଏସବୁ ଅଲଗା କରାଯାଇନଥାଏ,ତେବେ ସମ୍ପତ୍ତିର ପୁନଃମିଶ୍ରଣ କରାଯାଇ ଏସବୁ ଅଲଗା କରିବାକୁ ପଡିଥାଏ।

Our Recent Posts

Law in Odia

India

LAW IN ODIA