• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ଯୌଥ ପରିବାର ଓ ସହଭାଗିତା


ହିନ୍ଦୁ ଯୌଥ ପରିବାର ହେଉଛି ଏପରି ଏକ ପରିବାର ଯାହା ସାଧାରଣ ପିତୃପୁରୁଷଙ୍କଠୁଁ ସୃଷ୍ଟି ହୋଇ ପୁରୁଷ ପରେ ପୁରୁଷ ଏକାଠି ଚାଲିଆସିଛି ।ଏହା ସାଧାରଣ ପିତୃପୁରୁଷ,ତାଙ୍କର ପତ୍ନୀ,ପିଢ଼ି ପରେ ପିଢି ପୁରୁଷ ଉତ୍ତରାଧିକାରୀ, ସେମାନଙ୍କର ପତ୍ନୀ,ବିଧବା ତଥା ଅବିବାହିତ କନ୍ୟାମାନଙ୍କର ଏକ ମିଳିତ ପରିବାର।ଯୌଥ ପରିବାରର ସଦସ୍ୟଙ୍କର ସେପରି କୈାଣସି ନିର୍ଦ୍ଦିଷ୍ଟ ସଂଖ୍ୟା ନଥାଏ।ମାତ୍ର ଦୁଇଜଣ ସଦସ୍ୟଙ୍କ ଉପସ୍ଥିତିରେ ମଧ୍ୟ ଯୌଥ ପରିବାର ଚାଲୁ ରହିପାରେ ଯଦି ପରିବାରରେ ପୁରୁଷ ସଦସ୍ୟ ଯୋଗ କରିବାର ସୁଯୋଗ ଅଛି।


ଶ୍ରୀମତୀ ଇରାବତୀ କାରଭେଙ୍କ ମତରେ, “ଏକ ମିଳିତ ବା ଯୌଥ ପରିବାର ହେଉଛି ଏକ ଗୋଷ୍ଠୀ, ଯେଉଁମାନେ ସାଧାରଣତ ଗୋଟିଏ ଛାତ ତଳେ ରୁହନ୍ତି, ଯେଉଁମାନେ ଗୋଟିଏ ଚୁଲିରେ ରନ୍ଧା ଖାଦ୍ୟ ଖାଇଥା’ନ୍ତି, ଯେଉଁମାନଙ୍କର ସମ୍ପତ୍ତିରେ ସାଧାରଣ ରହିଥାଏ ଏବଂ ଯେଉଁମାନେ ସାଧାରଣ ପୂଜାରେ ଅଂଶଗ୍ରହଣ କରନ୍ତି ତଥା ପରସ୍ପର ସହିତ କିଛି ନିର୍ଦ୍ଦିଷ୍ଟ ପ୍ରକାରର ସମ୍ପର୍କରେ ଜଡିତ ଥାଆନ୍ତି ।”


ରୁଖମାବାଇ ବନାମ ଲାଲା ଲକ୍ଷ୍ମୀ ନାରାୟଣ ମାମଲାରେ ରେ ଦେଖାଯାଇଥିବା ଗୋଟିଏ ପରିବାରରେ ଯଦି ଏକତ୍ର ଭୋଜନ,ଉପାସନା ହୁଏ ଏବଂ ସମ୍ପତ୍ତି ମିଳିତ ଭାବରେ ରହିଥାଏ,ତେବେ ତାହାକୁ ଏକ ଯୌଥ ପରିବାର କୁହାଯାଇଥାଏ।ତେବେ ଯଦି କାର୍ଯ୍ୟବଶତଃ ପରିବାରର କିଛି ସଦସ୍ୟ ବାହାରେ ଦୂରସ୍ଥାନମାନଙ୍କରେ ରହୁଛନ୍ତି ଏବଂ ଏକତ୍ର ଭୋଜନ ସମ୍ଭବ ହେଉନାହିଁ, ତେବେମଧ୍ୟ ତାହାକୁ ସଂଯୁକ୍ତ ଯୌଥ ପରିବାର ବୋଲି ଧରାଯିବ,ଯେତେପର୍ଯ୍ୟନ୍ତ ପରିବାରର ସମ୍ପତ୍ତି ମିଳିତ ଭାବରେ ରହିଅଛି।


ସହଭାଗିତା କ’ଣ?


ଯୌଥ ହିନ୍ଦୁ ପରିବାରର ଉତ୍ତରାଧିକାର କପର୍ସେନାରୀ ସମ୍ପତ୍ତି ବା ପାରିବାରିକ ପୈତୃକ ସମ୍ପତ୍ତିର ଶେଷ ଧାରକଙ୍କ ଠାରୁ ତିନି ପିଢି ପର୍ଯ୍ୟନ୍ତ ସମସ୍ତ ପୁରୁଷ ବଂଶଧରଙ୍କୁ ନେଇ ଗଠିତ । ଏକ ନିର୍ଦ୍ଦିଷ୍ଟ ପିଢିରେ ଯେ କୈାଣସି ସଂଖ୍ୟକ ପୁରୁଷ ସଦସ୍ୟ ରହିପାରନ୍ତି ।ଅର୍ଥାତ ଶେଷ ଧାରକ,ଏବଂ ତାଙ୍କ ପୁଅ, ପୁଅର ପୁଅ ଏବଂ ପୁଅର ପୁଅ ସହଭାଗିତା ଗଠନ କରନ୍ତି ।ସରଳ ଭାଷାରେ କହିବା ପାଇଁ ଗଲେ,ଯଦି 'କ' ଜଣେ ବ୍ୟକ୍ତି,ଯିଏ କି ଯୌଥ ପରିବାରର ସମ୍ପତ୍ତିର ଶେଷ ଧାରକ ଯାହାଙ୍କର ପତ୍ନୀ 'କ୧ ' ଓ 'କ୨'ଙ୍କଠାରୁ ତାଙ୍କର 'ଖ' ,'ଗ','ଘ','ଙ','ଚ','ଛ','ଜ' ନାମକ ସନ୍ତାନ ଅଛନ୍ତି,ପୁନଶ୍ଚ 'ଖ' ,'ଗ','ଘ','ଙ','ଚ','ଛ','ଜ'ଙ୍କ ସନ୍ତାନ ଓ ତାଙ୍କର ସନ୍ତାନଙ୍କ ସନ୍ତାନ ,ଏହିଭଳି ଶେଷ ଧାରକଙ୍କ ଠାରୁ ତିନି ପିଢି ପର୍ଯ୍ୟନ୍ତ ସମସ୍ତ ପୁରୁଷ ବଂଶଧରଙ୍କୁ ନେଇ ଏହି ସହଭାଗିତା ଗଠିତ ହୋଇଥାଏ।


ବିଶ୍ୱନାଥ ବନାମ ଗଣେଶ ଭିଟାଲଙ୍କ ମାମଲାରେ କୋର୍ଟ କହିଛନ୍ତି ଯେ ଅଧିଗ୍ରହଣକାରୀ ଶେଷ ପୁରୁଷଙ୍କଠାରୁ କେବଳ ଚାରି ଡିଗ୍ରୀ ସମ୍ପର୍କ ପର୍ଯ୍ୟନ୍ତ ବିଭାଜନ ଦାବି କରାଯାଇପାରିବ କିନ୍ତୁ ଶେଷ ଚାରି ଡିଗ୍ରୀରୁ ଅଧିକ ଦୂରରେ ଥିବା ବ୍ୟକ୍ତିଙ୍କ ଦ୍ଵାରା ଏହା ଦାବି କରାଯାଇପାରିବ ନାହିଁ।


ପୂର୍ବରୁ ହିନ୍ଦୁ ବ୍ୟବସ୍ଥା ଅନୁସାରେ ପ୍ରଚଳିତ ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଅନୁଯାୟୀ, ୧୯୫୬ ରେ କୌଣସି ମହିଳା ସଦସ୍ୟ ଉତ୍ତରାଧିକାରୀ ହେବା ପାଇଁ ଯୋଗ୍ୟ ନଥିଲେ।ତେବେ ୨୦୦୫ର ସଂଶୋଧନ ପରେ କନ୍ୟା ସନ୍ତାନ ମଧ୍ୟ ଏହି ସହଭାଗିତାର ଅଂଶବିଶେଷ।ବର୍ତ୍ତମାନ, ହିନ୍ଦୁ ଉତ୍ତରାଧିକାର ଅଧିନିୟମର ଧାରା ୨୯କ ପ୍ରଦାନ କରେ ଯେ ଜଣେ ଝିଅ ମଧ୍ୟ ପୁଅ ଭଳି ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ହକଦାର ଓ ପୁଅ ସହଭାଗୀ ଉତ୍ତରାଧିକାରୀ ଭଳି ସମସ୍ତ ଦାୟିତ୍ଵ ସମ୍ପାଦନ କରିବାର ଯୋଗ୍ୟ।ଉତ୍ତରାଧିକାର ଅଧିନିୟମକୁ ସଂଶୋଧନ କରାଇ ଡକ୍ଟରିନ ଅଫ୍ ସରଭାଇଭରସିପକୁ ମଧ୍ୟ ବିଲୋପ କରାଦିଆଯାଇଛି,ଯାହା ଅନୁସାରେ ଜଣେ ସହଭାଗୀ ଉତ୍ତରାଧିକାରୀଙ୍କର ମୃତ୍ୟୁ ଘଟିଲେ,ତାର ଭାଗ ମଧ୍ୟ ବିଲୋପ ହୋଇଯାଉଥିଲା ।


ସହଭାଗିତାର ଏହି ଉପାୟ ମୁଖ୍ୟତଃ ପିଢ଼ି ପରେ ପିଢ଼ି ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରିୟାକୁ ସହଜ,ସୁଗମ କରିବାପାଇଁ ସୃଷ୍ଟି ହୋଇଥାଏ।ଏହା ପରିବାରର ସମ୍ପତ୍ତିରେ ‘ଜନ୍ମ ଦ୍ୱାରା ଅଧିକାର’ ହୋଇଥାଏ। ସହଭାଗିତା ବା କପାର୍କେନାରୀର ପ୍ରତ୍ୟେକ ସଦସ୍ୟ ପରସ୍ପର ସହିତ ବୈଧଭାବରେ ରକ୍ତଗତ କିମ୍ବା ପୋଷ୍ୟ ସମ୍ପର୍କରେ ଜଡିତ । ଏହାର ଅର୍ଥ ପରିବାରର ସହଭାଗୀ ଉତ୍ତରାଧିକାରୀଙ୍କ ମଧ୍ୟରେ ରକ୍ତଗତ ସମ୍ପର୍କ ଥାଏ ଅବା ସେହି ସଦସ୍ୟ ପୋଷ୍ୟପୁତ୍ର ଭାବରେ ପରିବାରରେ ସଂଯୋଗ ହୋଇଥାଆନ୍ତି। କୌଣସି ବାହାରର ବ୍ୟକ୍ତି ଚୁକ୍ତିନାମା ଅଥବା ଅନ୍ୟ କୈାଣସି ପଦ୍ଧତିରେ ପରିବାରର ସହଭାଗିତାରେ ନିଜକୁ ସାମିଲ କରିପାରିବ ନାହିଁ ।


ଏହି କପର୍ସେନାରୀ ବା ସହଭାଗିତା କେତେବେଳେ ସମାପ୍ତ ହୁଏ?


ଏହି ସହଭାଗିତା ହେଉଛି ପିଢି ପରେ ପିଢି ଏକ କ୍ରମିକ ପର୍ଯ୍ୟାୟ,ତେବେ ଏଥିରେ ମଧ୍ୟ ସମାପ୍ତି ହୋଇଥାଏ ଯଦି-


୧-ଯୌଥ ପରିବାରରେ ସାଧାରଣ ପୈତୃକ ସମ୍ପତ୍ତିର ବିଭାଜନ ହୁଏ


୨- କିମ୍ବା ପରିବାରର ସମସ୍ତ ପୁରୁଷ ସଦସ୍ୟଙ୍କ ମୃତ୍ୟୁ ହୁଏ । ମାତ୍ର ବର୍ତ୍ତମାନ ସମୟରେ ଏହା ଲାଗୁ ନୁହେଁ।ସୀତାବାଈ ବନାମ ରାମଚନ୍ଦ୍ର ମାମଲାରେ ଏହା ଦେଖାଯାଇଥିଲା ଯେ,ପରିବାରର ଏକ ମାତ୍ର ଅଂଶୀଦାର ଉତ୍ତରାଧିକାରୀଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ସଂଯୁକ୍ତ ପରିବାର ଶେଷ ହୁଏ ନାହିଁ, ଯଦି ଏଥିରେ କୌଣସି ଭାବରେ ପୁରୁଷ ସଦସ୍ୟ ଯୋଗ କରିପାରିବାର ସମ୍ଭାବନା ଥାଏ।


୩- କିମ୍ବା ଏକମାତ୍ର ବଞ୍ଚିଥିବା ସହଭାଗୀ ଉତ୍ତରାଧିକାରୀ ଦ୍ୱାରା ଏହି ସହଭାଗିତା ଉତ୍ତରାଧିକାରୀର କ୍ରମ ସମାପ୍ତ ହୋଇଥାଏ ।


କ୍ରିଷ୍ଣାପ୍ରସାଦ ବନାମ ସି.ଆଇ.ଟି ବେଙ୍ଗାଲୁର ମାମଲାରେ ଏହା କୁହାଯାଇଥିଲା ଯେ,କେବଳ ଜଣେ ପୁରୁଷ ଓ ତାଙ୍କ ସ୍ତ୍ରୀଙ୍କ ଦ୍ଵାରା ମଧ୍ୟ ଏକ ହିନ୍ଦୁ ସଂଯୁକ୍ତ ପରିବାର ତିଷ୍ଠି ରହିପାରେ।ଏପରିକି ଏହା ମଧ୍ୟ କେବଳ ଦୁଇଜଣ ମହିଳା ସଦସ୍ୟଙ୍କ ଉପସ୍ଥିତିରେ ସମ୍ଭବ ହୋଇପାରିବ ଯେତେବେଳେ ଏଥିରେ ପୁରୁଷ ସଦସ୍ୟ ଯୋଗ ହୋଇ ପାରିବାର ସମ୍ଭାବନା ଥିବ।ତେବେ ଏକ ସଂଯୁକ୍ତ ପରିବାର ତିଷ୍ଠି ରହିବା ନିମନ୍ତେ ଅତି କମରେ ଦୁଇଜଣ ସଦସ୍ୟଙ୍କର ଉପସ୍ଥିତି ଅନିବାର୍ଯ୍ୟ ଅଟେ।


ତେବେ ଅନେକ ସମୟରେ ହିନ୍ଦୁ ଯୌଥ ପରିବାର ଏବଂ ହିନ୍ଦୁ ଉତ୍ତରାଧିକାରୀ ଅନୁଷ୍ଠାନ ମଧ୍ୟରେ ଦ୍ୱନ୍ଦ ଦେଖାଯାଏ।ବାସ୍ତବରେ ଏ ଦୁଇଟି ପରସ୍ପରଠାରୁ ଖୁବ ପୃଥକ।ସହଭାଗୀ ଉତ୍ତରାଧିକାରୀଙ୍କ ଅନୁଷ୍ଠାନଟି ଯୌଥ ପରିବାର ଅନୁଷ୍ଠାନ ଠାରୁ ଖୁବ ସଂକୀର୍ଣ୍ଣ।ଏହା ବାସ୍ତବରେ ଯୌଥ ପରିବାରର କିଛି ଯୋଗ୍ୟ ସଦସ୍ୟଙ୍କର ହିଁ ଅନୁଷ୍ଠାନ।


ଉଭୟ ପୁରୁଷ ଏବଂ ମହିଳା ଯୌଥ ପରିବାରର ସଦସ୍ୟ ଅଟନ୍ତି ମାତ୍ର କେବଳ ପୁରୁଷ ସଦସ୍ୟ ସହଭାଗିତାର ସଦସ୍ୟ ରହିପାରିବାର ବ୍ୟବସ୍ଥା ଥିଲା ।ଯଦିଓ ୨୦୦୫ର ନିୟମ ଅନୁଯାୟୀ ମହିଳା ବି ଏହାର ସଦସ୍ୟ ହୋଇପାରିବେ,ମାତ୍ର ସେ ଉତ୍ତରାଧିକାରୀଙ୍କ ସହ ରକ୍ତଗତ ଅଥବା ପୋଷ୍ୟ ସମ୍ପର୍କରେ ରହି ଅନ୍ୟାନ୍ୟ ଯୋଗ୍ୟତା ପରିପୂରଣ କରୁଥିବେ।


ସହଭାଗିତାର ସବୁ ସଦସ୍ୟ ଯୌଥ ପରିବାରର ସଦସ୍ୟ ହେବାକୁ ବାଧ୍ୟ ମାତ୍ର ଯୌଥ ପରିବାରର ସମସ୍ତ ସଦସ୍ୟ ସହଭାଗୀ ଉତ୍ତରାଧିକାରୀ ଅନୁଷ୍ଠାନର ସଦସ୍ୟ ହୋଇନଥାନ୍ତି।


ଯୌଥ ହିନ୍ଦୁ ପରିବାରର ସଦସ୍ୟତା ଜନ୍ମ କିମ୍ବା ବିବାହ ଦ୍ଵାରା ଅର୍ଜନ କରାଯାଇଥାଏ ଏବଂ ଉତ୍ତରାଧିକାରର ସଦସ୍ୟତା ଜନ୍ମ ବା ପୋଷ୍ୟଗ୍ରହଣ ମାଧ୍ୟମରେ ଗୃହୀତ ହୋଇଥାଏ।


ଯୌଥ ପରିବାରର ସଦସ୍ୟତା ବିଷୟରେ ଡିଗ୍ରୀ କିମ୍ବା ପିଢିର କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ ।ମାତ୍ର ସହଭାଗୀ ଉତ୍ତରାଧିକାରୀ ଅନୁଷ୍ଠାନ ଅର୍ଥାତ୍ କୋପାର୍ସେନାରୀରେ, ପୁରୁଷମାନେ ଚାରି ଡିଗ୍ରୀ ଅର୍ଥାତ୍ ଚାରିଟି ପିଢ଼ି ପର୍ଯ୍ୟନ୍ତ ରହିପାରିବେ।


ଯୌଥ ପରିବାରର ସଦସ୍ୟ ଯେପରି ପିତାଙ୍କ ପତ୍ନୀ, ମାତା, ଜେଜେମା ଇତ୍ୟାଦି କେତେକ ମହିଳାଙ୍କର ବିଭାଜନ ଦାବି କରିବାର ଅଧିକାର ନାହିଁ ।କିନ୍ତୁ ସହଭାଗିତା ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ବିଭାଜନ ଦାବି କରିବାର ଅଧିକାର ଅଛି ।

Our Recent Posts

Law in Odia

India

LAW IN ODIA