• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ସଂଯୁକ୍ତ ପରିବାରରେ କର୍ତ୍ତାଙ୍କ ଭୂମିକା



କର୍ତ୍ତା ଶବ୍ଦଟିର ଆକ୍ଷରିକ ଅର୍ଥ ହେଉଛି,"ଯେ କାର୍ଯ୍ୟ କରନ୍ତି ବା କରାନ୍ତି ।" ଏହି ହିନ୍ଦୁ ଯୌଥ ପରିବାରର ମୁଖ୍ୟଙ୍କୁ କର୍ତ୍ତା କୁହାଯାଏ ଯାହାର କାର୍ଯ୍ୟ ମୁଖ୍ୟତଃ ପରିବାରର ପରିଚାଳକ ଭାବରେ ହୋଇଥାଏ । କର୍ତ୍ତା ହେଉଛନ୍ତି ପରିବାରର ବରିଷ୍ଠ ପୁରୁଷ ସଦସ୍ୟ ଯିଏ କି ପରିବାରର ମୁଖ୍ୟ ତଥା ପରିବାରର ପ୍ରତିନିଧି ଭାବରେ କାର୍ଯ୍ୟ କରନ୍ତି ।ପରିବାରର ଯେ କୈାଣସି ସଦସ୍ୟଙ୍କ ଠାରୁ କର୍ତ୍ତାଙ୍କର ଶକ୍ତି ଓ ଅଧିକାର ଖୁବ ବ୍ୟାପକ ହୋଇଥାଏ ଏବଂ ପରିବାରର ସମସ୍ତ ସଦସ୍ୟ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଜଣାନ୍ତି।କହିବାବାହୁଲ୍ୟ ଏକ ଯୌଥ ପରିବାରର ପରିଚାଳନାରେ କର୍ତ୍ତାଙ୍କର ସ୍ଥାନ ଏବଂ ଭୂମିକା ଖୁବ୍ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।ପ୍ରତ୍ୟେକ ଯୌଥ ପରିବାର ଉପଯୁକ୍ତ ସଞ୍ଚାଳନ ପାଇଁ କର୍ତ୍ତାଙ୍କର ଉପସ୍ଥିତି ଅପରିହାର୍ଯ୍ୟ ହୋଇଥାଏ ।


କିଏ କର୍ତ୍ତା ହୋଇପାରିବେ?


ଏହା ତ ସମସ୍ତେ ଜାଣିଥିବେ ଯେ,ପରିବାର ସ୍ଵାର୍ଥରକ୍ଷା ପାଇଁ କର୍ତ୍ତା ସର୍ବଦା ପରିବାରର ସଦସ୍ୟଙ୍କ ମଧ୍ୟରୁ ହିଁ ଜଣେ ହୋଇଥାଏ।ସାଧାରଣତଃ ବୟୋଜ୍ୟେଷ୍ଠ ପୁରୁଷ ସଦସ୍ୟ ହିଁ କର୍ତ୍ତା ଭାବରେ କାର୍ଯ୍ୟ କରିଥାନ୍ତି । ତେବେ ଯଦି ଅଯୋଗ୍ୟତା, ଅଧିକ ବୟସ, ବା ଅନ୍ୟ କୈାଣସି କାରଣରୁ ପରିବାରର ବରିଷ୍ଠ ପୁରୁଷ କର୍ତ୍ତା ହେବାକୁ ଅରାଜି ହୁଅନ୍ତି,ତେବେ ତଳେ ତାଙ୍କ ଥିବା ବୟୋଜ୍ୟେଷ୍ଠ ପୁରୁଷ ଅଥବା ସମସ୍ତଙ୍କ ସହମତିରେ ଅନ୍ୟ କେହି ଯୋଗ୍ୟ ଉତ୍ତରାଧିକାରୀ କର୍ତ୍ତା ଭାବରେ ମନୋନୀତ ହୋଇଥାନ୍ତି।


ତେବେ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ,ପୁରୁଷ ସଦସ୍ୟଙ୍କର ଅନୁପସ୍ଥିତିରେ କଣ କର୍ତ୍ତାଙ୍କ ସ୍ଥାନ ଶୂନ୍ୟ ରୁହେ? ଆଜ୍ଞା ନା ! ପରିସ୍ଥିତି ଯାହା ବି ହେଉନା କାହିଁକି, ପରିବାରର ପରିଚାଳନା ପାଇଁ କର୍ତ୍ତାର ସ୍ଥାନ କେବେ ବି ଶୂନ୍ୟ ରହିପାରିବ ନାହିଁ, ଅନ୍ୟଥା ପରିବାରରେ ସଂକଟ ସୃଷ୍ଟି ହେବ।


ନୋପାନୀ ଇନଭେଷ୍ଟମେଣ୍ଟ ବନାମ ସାନ୍ତୋକ ସିଂହ ମାମଲାରେ ଏହା ଦେଖାଯାଇଥିଲା ଯେ,କର୍ତ୍ତା ଯଦି କୌଣସି ଦୂର ସ୍ଥାନରେ ଅଛନ୍ତି ଓ ସେଠାରୁ ସେ ଆବଶ୍ୟକ ସମୟ ମଧ୍ୟରେ ଆସିପାରିବେ ନାହିଁ, ତେବେ ଉକ୍ତ ପରିବାରରେ ଜଣେ କନିଷ୍ଠ ସଦସ୍ୟ ମଧ୍ୟ ଆବଶ୍ୟକ ନିମନ୍ତେ କର୍ତ୍ତା ହୋଇପାରିବେ।


ଯଦି ଗୋଟିଏ ପରିବାରରେ ପୁରୁଷ ସଦସ୍ୟ ଅନୁପସ୍ଥିତି ଥାଆନ୍ତି ତେବେ ସେହି ପରିସ୍ଥିତିରେ ମହିଳା କର୍ତ୍ତା ଭାବରେ କାର୍ଯ୍ୟ କରିପାରିବେ। ଯଦି ପୁରୁଷ ସଦସ୍ୟ ଉପସ୍ଥିତ ଥାଆନ୍ତି କିନ୍ତୁ ସେମାନେ ନାବାଳକ, ସେହି ସମୟରେ ମହିଳାମାନେ ମଧ୍ୟ କର୍ତ୍ତା ଭାବରେ କାର୍ଯ୍ୟ କରିପାରିବେ ।ପୂର୍ବରୁ ମହିଳା ମାନଙ୍କୁ ଉତ୍ତରାଧିକାରୀ ଭାବରେ ଗ୍ରହଣ କରାଯାଉନଥିଲା,ମାତ୍ର ୨୦୦୫ର ସଂଶୋଧନ ପରେ ମହିଳାମାନେ କର୍ତ୍ତା ଭାବରେ କାର୍ଯ୍ୟ କରିପାରୁଛନ୍ତି।


କର୍ତ୍ତାଙ୍କର ଶକ୍ତି :


ପରିଚାଳନା ତଥା ପ୍ରତିନିଧିତ୍ୱ କରିବାର କ୍ଷମତା -


ହିନ୍ଦୁ ଯୌଥ ପରିବାରରେ ପରିବାରର ସଦସ୍ୟଙ୍କ ରକ୍ଷଣାବେକ୍ଷଣ ,ସମ୍ପତ୍ତିର ସୁରକ୍ଷା ତଥା ବ୍ୟାପାର ପରିଚାଳନାରେ ସଂପୂର୍ଣ୍ଣ ଭାର କର୍ତ୍ତାଙ୍କ ଉପରେ ନ୍ୟସ୍ତ ଥାଏ।ପରିଚାଳନା କାମରେ ପରିବାରର ଅନ୍ୟ ସଦସ୍ୟ ସାହାଯ୍ୟ ସହଯୋଗ କଲେ ବି,କର୍ତ୍ତା ର ସ୍ଥାନ କେହି ନେଇପାରିବେ ନାହିଁ।ପରିବାରର ସଦସ୍ୟମାନଙ୍କୁ ତଥା ମିଳିତ ସମ୍ପତ୍ତିକୁ ସୁରକ୍ଷା ଦେବାରେ କର୍ତ୍ତାଙ୍କର ଭୂମିକା ଅତୁଳନୀୟ ହୋଇଥାଏ ଏବଂ ଏହି ଗୁରୁଦାୟିତ୍ୱକୁ ସୂଚାର ରୂପରେ ସମ୍ପାଦନ କରିବା ପାଇଁ ତାଙ୍କର କ୍ଷମତା ନିଶ୍ଚିତ ରୂପେ ଯଥେଷ୍ଟ ବ୍ୟାପକ ହୋଇଥାଏ।


ଆଇନଗତ, ଧାର୍ମିକ ଏବଂ ସାମାଜିକ ପ୍ରସଙ୍ଗରେ କାର୍ତ୍ତା ପରିବାରକୁ ପ୍ରତିନିଧିତ୍ୱ କରନ୍ତି । ପରିବାର ତରଫରୁ କାର୍ତ୍ତା ଯେକୌଣସି କାରବାରରେ ପ୍ରବେଶ କରିପାରିବେ ।ସେ ମଧ୍ୟ ପରିବାରର ପାରିବାରିକ ବ୍ୟାପରରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି।ଆଇନ୍ ଅନୁଯାୟୀ ଏପରି ପରିବାର ଏକ ନ୍ୟାୟିକ ବ୍ୟକ୍ତି ନୁହେଁ, ଅର୍ଥାତ୍ ଏହା ମକଦ୍ଦମା କରିପାରିବ ନାହିଁ କିମ୍ବା ଏହା ବିରୁଦ୍ଧରେ ମକଦ୍ଦମା ହୋଇପାରିବ ନାହିଁ,ତେବେ କର୍ତ୍ତା ପରିବାରର ପ୍ରତିନିଧି ରୂପେ ଏହାକୁ ଆଇନଗତ କାର୍ଯ୍ୟରେ ପ୍ରତିନିଧିତ୍ଵ କରିଥାଆନ୍ତି।ସମଗ୍ର ପରିବାର ପକ୍ଷରୁ କାର୍ତ୍ତା ଚୁକ୍ତିନାମା କରିପାରନ୍ତି ଏବଂ ଚୁକ୍ତିନାମାର ପାଳନ ମିଳିତ ପରିବାରର ସଦସ୍ୟମାନଙ୍କ ପାଇଁ ବାଧ୍ୟତାମୂଳକ ହୋଇଥାଏ ।ଏହା କର୍ତ୍ତାଙ୍କର ପ୍ରତିନିଧିତ୍ଵ କରିବା ଶକ୍ତିର ଏକ ବିଶେଷ ଦିଗକୁ ସୂଚୀତ କରେ।


ଆୟ ଏବଂ ବ୍ୟୟର ଅଧିକାର -


ଆପଣମାନେ ତ ଜାଣନ୍ତି , ମିଳିତ ହିନ୍ଦୁ ପରିବାରରେ କର୍ତ୍ତା ପରିବାରର ପରିଚାଳକ ଭାବରେ କାର୍ଯ୍ୟ କରନ୍ତି,ତେଣୁ ସମ୍ପତ୍ତିର ଆୟ ଉପରେ ସର୍ବପ୍ରଥମେ କର୍ତ୍ତାଙ୍କର ହିଁ ଅଧିକାର ଥାଏ। ଆବଶ୍ୟକତା ପୂରଣ ପାଇଁ ସଦସ୍ୟମାନଙ୍କୁ ପାଣ୍ଠି ବଣ୍ଟନ କରିବା କର୍ତ୍ତାର ଦାୟିତ୍ଵ। ଏହି ପାଣ୍ଠି ବଣ୍ଟନ ସମୟରେ କର୍ତ୍ତା ପ୍ରତ୍ୟେକ ସଦସ୍ୟଙ୍କ ପ୍ରତି ନିରପେକ୍ଷ ଭାବ ପୋଷଣ କରିବା ଦରକାର ନଥାଏ ବରଂ ତାଙ୍କୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖର୍ଚ୍ଚ ପ୍ରଦାନ କରିବାକୁ ପଡିଥାଏ।କର୍ତ୍ତା ପରିବାରର ଉପଯୁକ୍ତ ପରିଚାଳନା, ରକ୍ଷଣାବେକ୍ଷଣ,ଚିକିତ୍ସା ,ବିବାହ, ଶିକ୍ଷା,ଉତ୍ସବ ତଥା ସଂସ୍କାର ଇତ୍ୟାଦିର ଖର୍ଚ୍ଚ ନିର୍ଦ୍ଧାରଣ ତଥା କାର୍ଯ୍ୟକାରୀ କରିବାରେ ସବୁଠାରୁ ବରିଷ୍ଠ ଭୂମିକା ତୁଲାଇଥାନ୍ତି ।


ଆପୋଷ ବୁଝାମଣା କରାଇବାର ଅଧିକାର -


କର୍ତ୍ତାଙ୍କ ନିଷ୍ପତ୍ତିକୁ ପରିବାରର ସମସ୍ତ ସଦସ୍ୟ ସମ୍ମାନ ଜଣାଇଥାନ୍ତି ତେଣୁ ପାରିବାରିକ ମାମଲା ତଥା କାରବାରରେ ହସ୍ତକ୍ଷେପ କରି ବୁଝାସୁଝା କରିପାରିବାର ଦାୟିତ୍ୱ ଓ ଶକ୍ତି ମଧ୍ୟ କର୍ତ୍ତାଙ୍କ ଉପରେ ନ୍ୟସ୍ତ ଥାଏ। ପରିବାରର ଆପୋଷ କନ୍ଦଳକୁ ସମାଧାନ କରି ଶାନ୍ତି ବଜାୟ ରଖିବାରେ କର୍ତ୍ତାଙ୍କର ଶକ୍ତି ଓ ଭୂମିକା ଅନନ୍ୟ ହୋଇଥାଏ।ସମ୍ପତ୍ତି,ଅଧିକାର ଅଥବା ଅନ୍ୟ ଯେ କୈାଣସି କାରଣରୁ ସୃଷ୍ଟ ବିବାଦକୁ ଆର୍ବିଟ୍ରେସନ୍ ନିକଟକୁ ପଠାଇବାର ଶକ୍ତି ମଧ୍ୟ ତାଙ୍କର ଅଛି। ।


ଋଣ କରିବାର ଶକ୍ତି -


କର୍ତ୍ତା ଚାହିଁଲେ ପରିବାର ନିମନ୍ତେ ଆବଶ୍ୟକ ସ୍ଥଳରେ ପରିବାରର ସମ୍ପତ୍ତିକୁ ପ୍ରତିଶ୍ରୁତି ଭାବରେ ପ୍ରଦାନ କରି ପରିବାର ପକ୍ଷରୁ ଋଣ ଗ୍ରହଣ କରିପାରିବେ ।ପରିବାରର ଆବଶ୍ୟକତା ଦୃଷ୍ଟିରୁ ନିଆଯାଇଥିବା ଏହି ଋଣର ପରିମାଣ ଓ ସର୍ତ୍ତ ଗୁଡ଼ିକୁ ପରିବାରର ସଦସ୍ୟମାନେ ପାଳନ କରିବାକୁ ବାଧ୍ୟ ଅଟନ୍ତି।

ମୋଟ ଉପରେ ହିନ୍ଦୁ ଯୌଥ ପରିବାରରେ କର୍ତ୍ତାର ଭୂମିକା ସବୁଠାରୁ ଉଚ୍ଚରେ ଓ ତାଙ୍କର ଶକ୍ତିକୁ ଯେ କେହି ଅନୁଷ୍ଠାନର ପରିଚାଳକଙ୍କ ଶକ୍ତିଠାରୁ ଯଥେଷ୍ଟ ଉର୍ଦ୍ଧରେ।ତାଙ୍କୁ ପରିବାରର ସର୍ବେସର୍ବା କହିଲେ ଅତ୍ୟୁକ୍ତି ହେବନାହିଁ।

Our Recent Posts