• ସୂର୍ୟ୍ୟସ୍ନାତା ଦାସ

"ଆଇନ୍ ଶିକ୍ଷାର କବଚ - ଘରେଘରେ ହେବ ପରିଚିତ ‌।"

ଯେକୈ।ଣସି ଦେଶର ନାଗରିକଙ୍କ ପାଇଁ ଆଇନ୍ ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଏବଂ ରକ୍ଷାକବଚ‌।ଏକ ସାର୍ବଭୌମ,ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ,ସାଧାରଣତନ୍ତ୍ର ରାଷ୍ଟ୍ରର ସୃଷ୍ଟି,ସ୍ଥିତି,ସୁରକ୍ଷାର ଆଧାର ହେଉଛି ଆଇନ୍।

ଆଇନ୍ ସଚେତନତା ନାଗରିକକୁ ଉପଲବ୍ଧି କରାଇପାରେ ନିଜ ଅସ୍ମିତା,ଅସ୍ତିତ୍ବର ମୂଲ୍ୟବୋଧକୁ ଏବଂ ଉଦବୋଧ କରାଇପାରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ବବୋଧର ମହନୀୟତାରେ ଦେଶକୁ ନୂଆରୂପରେ ଗଢି ତୋଳିବାକୁ ।

ଦେଶର ଆଇନ ବିଷୟରେ ଅଜ୍ଞ ନାଗରିକ ହେଉଛି ଏଭଳି ଏକ କସ୍ତୁରୀମୃଗ ଯିଏ ଏତେ ବିଶାଳ ଶକ୍ତି,ସୁବିଧା ସୁଯୋଗର ଅଧିକାରୀ ହୋଇମଧ୍ୟ ଅଜ୍ଞାନତା କାରଣରୁ ନିଜକୁ ଅସହାୟ ଓ ଦୁର୍ବଳ ମନେକରୁଥାଏ।

ସାଧାରଣରେ ଗୋଟିଏ ଭୁଲ ଧାରଣା ରହିଆସିଛି ଯେ, ଆଇନ୍ ସମ୍ବନ୍ଧୀୟ ବିଷୟଗୁଡିକ ଖୁବ ଜଟିଳ ଓ କଷ୍ଟକର ହୋଇଥାଏ ଏବଂ ଆଇନ ପ୍ରକ୍ରିୟାକୁ ହରଡଗଣାରେ ବସିବା ଭାବି ସାଧାରଣ ଲୋକମାନେ ଏଥିରୁ ଯଥାସାଧ୍ୟ ଦୂରେଇ ରହିବାକୁ ଚେଷ୍ଟା କରନ୍ତି।ବାସ୍ତବରେ ଏହା ଦ୍ବାରା ସେମାନେ ନିଜର ତଥା ଦେଶର ହିଁ ଅହିତ ସାଧନ କରନ୍ତି ଏବଂ ଜନକଲ୍ୟାଣର ଲକ୍ଷ୍ୟ ପୂରଣ ହୁଏନାହିଁ ।ଏଥିରେ ସେମାନଙ୍କର ବି କିଛି ଭୁଲ ନାହିଁ କାରଣ ଆଇନରେ ଜ୍ଞାନର ଅଭାବ ହେତୁ ଏହା ସେମାନଙ୍କୁ ଅବୋଧ୍ୟ ପ୍ରତୀତ ହୁଏ, ମାତ୍ର ଆଇନ୍ ଶିଖିବା ଯେ କଷ୍ଟ, ଏଭଳି ଭାବିବା ସମ୍ପୂର୍ଣ୍ଣ ଭୁଲ୍ ବରଂ ପ୍ରତିଟି ନାଗରିକ ଆଇନର ସାଧାରଣ ଦିଗ ପ୍ରତି ସଚେତନ ହେବା ଉଚିତ୍।

ଆଇନର ଦୁନିଆରେ ଏକ ପ୍ରବାଦ ଅଛି -Ignorantia juris non excusat or ignorantia legis neminem excusat ;ଏହାର ଅର୍ଥ ହେଉଛି ଯଦି କୈ।ଣସି ବ୍ୟକ୍ତି ତଥ୍ୟ ବିଷୟରେ ଅଜ୍ଞ ରହି ଏକ ଅପରାଧ କରୁଛନ୍ତି, ତେବେ ତାଙ୍କୁ କ୍ଷମା ଦିଆଯାଇପାରେ ମାତ୍ର ଯଦି ଜଣେ ବ୍ୟକ୍ତି ଆଇନ୍ ବିଷୟରେ ଅଜ୍ଞ ରହି ଅପରାଧ ସଂଗଠନ କରୁଛନ୍ତି,ତେବେ ତାଙ୍କୁ କ୍ଷମା ଦିଆଯାଇପାରିବ ନାହିଁ।ସରଳ ଭାଷାରେ କୈ।ଣସି ଆରୋପୀ କହିପାରିବେ ନାହିଁ ଯେ,ସେ ଜାଣି ନଥିଲେ କାମଟି ଅପରାଧ ପରିସର ଭିତରେ ଆସେ ଓ ସେଥିପାଇଁ ଆଇନରେ ଦଣ୍ଡର ବ୍ୟବସ୍ଥା ଅଛି। ଏସବୁ ପ୍ରକାରାନ୍ତରେ ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସୂଚୀତ କରେ ଯେ ପ୍ରତ୍ୟେକ ବ୍ୟକ୍ତି ଦେଶର ଆଇନ ପ୍ରତି ସଚେତନ ରହିବା ଉଚିତ।

ଆପଣ ଦେଖିଥିବେ ଅଥବା ନିଜେ ହୃଦୟଙ୍ଗମ କରିଥିବେ ଯେ,ଆଇନ୍ ସଚେତନତାର ଅଭାବ ହେତୁ ଅନେକ କ୍ଷେତ୍ରରେ ଉପଯୁକ୍ତ ନ୍ୟାୟ ମିଳିପାରୁନାହିଁ ଏବଂ ଅଧିକାଂଶ ସମୟରେ ସାଧାରଣ ଲୋକ ଅନେକ ଠକାମୀ ତଥା ପ୍ରତାରଣାର ମଧ୍ୟ ଶିକାର ହେଉଛନ୍ତି।ଆଇନର ସାଧାରଣ ସଚେତନତା ଦ୍ବାରା ଏସବୁ ଅନେକ ପରିମାଣରେ ଦୂରୀକରଣ କରାଯାଇପାରନ୍ତା।ମୁଖ୍ୟତଃ ଏ ଭୁଲ ଧାରଣାରୁ ଆମକୁ ମୁକ୍ତ ହେବାକୁ ପଡିବ ଯେ,ଆଇନ୍ ଶିଖିବା ଖୁବ କାଠିକର ପାଠ।ବାସ୍ତବରେ ଏହା ଖୁବ ସହଜ ଓ ଆକର୍ଷଣୀୟ କାରଣ ଏହା ହେଉଛି "ଲୋକଙ୍କର ଓ ଲୋକଙ୍କ ପାଇଁ",ଲୋଡା କେବଳ ଟିକିଏ ସଚେତନତା।

ଦେଶବିଦେଶର ବହୁ ଶିକ୍ଷାବିତ୍,ଦାର୍ଶନିକ ତଥା ବୁଦ୍ଧିଜୀବୀଙ୍କ ମତରେ ମାତୃଭାଷା ହିଁ ଶିକ୍ଷାଗ୍ରହଣ ଓ ସଚେତନତା ସୃଷ୍ଟି କରିବାର ସବୁଠାରୁ ସହଜ ଓ ଉତ୍କୃଷ୍ଟ ମାଧ୍ୟମ।ଅଳ୍ପ ସମୟରେ ବିରାଟ ସଚେତନତା ସୃଷ୍ଟି କରିବା ପାଇଁ ମାତୃଭାଷାରେ ଆଲୋଚନା ଠାରୁ ଭଲ ସାଧନ ମିଳିନପାରେ‌।ମୁଁ ସୂର୍ୟ୍ୟସ୍ନାତା ଦାସ,ୟୁନିଭର୍ସିଟି ଲ' କଲେଜ, ବାଣୀବିହାର ଆଇନ୍ ଛାତ୍ରୀ ଭାବରେ "ରାଜ୍ୟ ମହିଳା କମିଶନ୍","ରାଜ୍ୟ ମାନବ ଅଧିକାର କମିଶନ୍" ପ୍ରଭୃତିରେ ଇଣ୍ଟର୍ନସିପ୍ ସମୟରେ ଏହାକୁ ଖୁବ ଗଭୀରରୂପରେ ହୃଦୟଙ୍ଗମ କରିଛି।ଏହା ପୂର୍ବରୁ ମୋର ସାମ୍ବାଦିକତା ପାଠ୍ୟକ୍ରମ ସମୟରେ ଲୋକଙ୍କ ସହ ମିଶିବା ଅବସରରେ ମଧ୍ୟ ଏହାକୁ ଅବଲୋକନ କରିଛି।ଆଇନ୍ ଛାତ୍ରୀ ଭାବରେ କୋର୍ଟ ପ୍ରଭୃତିରେ ଇଣ୍ଟର୍ନସିପ୍ ସମୟରେ ମଧ୍ୟ ଲୋକଙ୍କର ଏହି ଆଇନ ସଚେତନତାରେ ଅଭାବ ହେତୁ ସୃଷ୍ଟି ହୋଇଥିବା ଅସୁବିଧା ସମୂହକୁ ଅତ୍ୟନ୍ତ ନିକଟରୁ ଦେଖିବାର ସୁଯୋଗ ପାଇଛି।ତେଣୁ ଏଠାରେ ଲ" ଇନ୍ ଓଡ଼ିଆ ଅର୍ଥାତ୍ ଓଡ଼ିଆରେ ଆଇନ୍ ସଚେତନତା ସୃଷ୍ଟି କରିବାର ବୃହତ ଲକ୍ଷ୍ୟ ନେଇ ଏହି ଓ୍ବେବସାଇଟ ମାଧ୍ୟମରେ ଏକ ଛୋଟ ପ୍ରୟାସ ଆରମ୍ଭ କରିଛି।ଏହା ବୋଧହୁଏ ଗୁଗୁଲରେ ଓଡ଼ିଆରେ ଆଇନ୍ ସଚେତନତା ନିମନ୍ତେ ପ୍ରଥମ ସମର୍ପିତ ଓ୍ବେବସାଇଟ ଏବଂ ଆଶା କରୁଛି, ଆପଣଙ୍କ ସ୍ନେହ,ଶ୍ରଦ୍ଧା ଏବଂ ସହଯୋଗରେ ଏହାର ବୃହତ ଲକ୍ଷ୍ୟଟି ପୂରଣ କରିବାର ସମର୍ଥ ହେବ। "ଆଇନ୍ ଶିକ୍ଷାର କବଚ - ଘରେଘରେ ହେବ ପରିଚିତ ‌।"

-ସୂର୍ୟ୍ୟସ୍ନାତା ଦାସ , ଆଇନ୍ ଛାତ୍ରୀ , ୟୁନିଭର୍ସିଟି ଲ" କଲେଜ, ବାଣୀବିହାର।

Our Recent Posts

Law in Odia

India

LAW IN ODIA