• ସୂର୍ଯ୍ୟସ୍ନାତା ଦାସ

ଗିରଫ


ପ୍ରତିଦିନ ଖବରକାଗଜ ତଥା ଦୂରଦର୍ଶନରେ ବହୁଳ ବ୍ୟବହୃତ ଏହି ଗିରଫ ଶବ୍ଦଟି ସହିତ ଆମେମାନେ ପରିଚିତ।ଅପରାଧ କଥା ଆସିଲେ,ଗିରଫର କଥା ଉଠିଥାଏ,ଯେପରିକି ଆଜି ଏଇ ଅପରାଧରେ ଦୁଇ ଆରୋପୀ ଗିରଫ ହୋଇଛନ୍ତି ବା ଗତକାଲି ଅମୁକ ଅପରାଧରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଅଥବା ପୁଲିସ ଅଭିଯୁକ୍ତକୁ କାହିଁକି ଏ ଯାଏଁ ଗିରଫ କରିନାହିଁ ଇତ୍ୟାଦି।ତେବେ ଏହି ଗିରଫ ପ୍ରକ୍ରିୟା କଣ ଓ ଫୌଜଦାରୀ ଆଇନରେ କାହିଁକି ଏହାକୁ ଅଧିକ ଗୁରୁତ୍ଵ ଦିଆଯାଏ,ଆସନ୍ତୁ ଜାଣିବା ।


ଗିରଫ ଶବ୍ଦଟିକୁ ବାସ୍ତବରେ କେଉଁଠି ବର୍ଣ୍ଣନା କରାଯାଇନାହିଁ।ସରଳ ଭାଷାରେ ଏହାର ଅର୍ଥ ହେଉଛି ବ୍ୟକ୍ତିଙ୍କୁ ଆଇନର ନଜରବନ୍ଦୀକୁ ନେଇ ନ୍ୟାୟ ବ୍ୟବସ୍ଥାର ଆବଶ୍ୟକତା ଦୃଷ୍ଟିରୁ ତାର ସ୍ଵତନ୍ତ୍ରତା ଉପରେ ରୋକ ଲଗାଇବା ।ବ୍ଲାକ୍ ଲ ’ଅଭିଧାନ ଅନୁଯାୟୀ," ଗିରଫ ’ଶବ୍ଦର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତିଙ୍କୁ ଆଇନଗତ ହେପାଜତରେ ରଖିବା । ଏକ ୱାରେଣ୍ଟ, ଅପରାଧ କିମ୍ବା ନିୟମ ଏହାକୁ ଅନୁମତି ଦେଇପାରେ । ”


ଆପଣ ତ ଜାଣିଛନ୍ତି , ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ପୋଲିସ ମାଜିଷ୍ଟ୍ରେଟଙ୍କ ବିନା ଆଦେଶରେ କିମ୍ବା ବିନା ଗିରଫ ପରୱାନାରେ ମଧ୍ୟ ଗିରଫ କରିପାରିବ। ତେବେ କେଉଁ କ୍ଷେତ୍ରରେ ତାହା କରାଯାଇପାରିବ ତାହା ଧାରା ୪୧ରେ ନିମ୍ନ ଭାବରେ ବର୍ଣ୍ଣନା କରାଯାଇଛି। ୨୦୦୯ରସଂଶୋଧନ ଅନୁସାରେ ସେହିସବୁ ଧର୍ତ୍ତବ୍ୟ ଅପରାଧ ଯେଉଁ କ୍ଷେତ୍ରରେ ଦଣ୍ତର ସମୟସୀମା ସାତବର୍ଷରୁ କମ ବା ସାତବର୍ଷ ପର୍ଯ୍ୟନ୍ତ ମିଳିଥାଏ,ସେସବୁ କ୍ଷେତ୍ରରେ ଗିରଫ କରିବା ପୂର୍ବରୁ ପୋଲିସକୁ ନିମ୍ନଲିଖିତ ପରିସ୍ଥିତିସମୂହକୁ ଦୃଷ୍ଟିରେ ରଖିବାକୁ ପଡିଥାଏ ।


-ଯେଉଁଠି ଅଭିଯୋଗ,ସନ୍ଦେହ ଅବା ମିଳିଥିବା ସୂଚନାକୁ ଭିତ୍ତିକରି ବ୍ୟକ୍ତିଟି ଧର୍ତ୍ତବ୍ୟ ଅପରାଧ ଘଟାଇଛି ବୋଲି ପୋଲିସ ବିଶ୍ଵାସ କରେ।


-ପୋଲିସ ଗିରଫଦାରୀକୁ ଆବଶ୍ୟକ ମନେ କରେ ।


-ଅଧିକ ଅପରାଧ କରିବାରୁ ନିବୃତ୍ତ କରିବା ନିମନ୍ତେ


-ଘଟଣାର ଉପଯୁକ୍ତ ତଦନ୍ତ ନିମନ୍ତେ


-ସାକ୍ଷ୍ୟ ସମୂହର ସୁରକ୍ଷା ନିମନ୍ତେ


-ମାମଲାର ତଥ୍ୟାବଳୀ ସହ ଅବଗତ ଥିବା ବ୍ୟକ୍ତିଙ୍କୁ ଡରାଇବା,ଧମକାଇବା ବା ପ୍ରତିଶ୍ରୁତି ଦେଉଥିବା ବ୍ୟକ୍ତିଙ୍କୁ ରୋକିବା ଉଦ୍ଦେଶ୍ୟରେ


-ନ୍ୟାୟାଳୟରେ ଉକ୍ତ ବ୍ୟକ୍ତିଙ୍କର ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ।


ଅଣ ଧର୍ତ୍ତବ୍ୟ ଅପରାଧରେ ମାଜିଷ୍ଟ୍ରେଟଙ୍କ ଆଦେଶ ବିନା ଅବା ବିନା ୱାରେଣ୍ଟରେ ଗିରଫ କରାଯାଇପାରିବ ନାହିଁ।ତଥାପି ଧାରା ୪୨ର ବ୍ୟବସ୍ଥା ଅନୁସାରେ,ଯଦି ପୋଲିସ ଅଫିସରଙ୍କ ଉପସ୍ଥିତିରେ କୌଣସି ଅଧର୍ତ୍ତବ୍ୟ ଅପରାଧ କରୁଛି ଓ ପୋଲିସ ଅଧିକାରୀଙ୍କ ପଚାରିବା ସତ୍ତ୍ୱେ ତାର ନାମ ଓ ଠିକଣା ପ୍ରଦାନ କରୁନାହିଁ ଅବା ମିଥ୍ୟା ନାମ ଓ ଠିକଣା ପ୍ରଦାନ କରୁଛି ବୋଲି ପୋଲିସର ସନ୍ଦେହ ହେଉଛି, ସେ କ୍ଷେତ୍ରରେ ସଠିକ ନାମ ଓ ଠିକଣା ଜାଣିବା ପାଇଁ ପୋଲିସ ଅଧିକାରୀ ଜଣଙ୍କ ତାଙ୍କୁ ଗିରଫ କରିପାରନ୍ତି।


ତେବେ ଏଇ ଗିରଫ ଶବ୍ଦଟି ଶୁଣିଲେ ପୁଲିସର ନାମ ଆପେଆପେ ମନକୁ ଆସିଯାଏ। ଅନେକଙ୍କର ଧାରଣା ଯେ,କେବଳ ପୁଲିସ ହିଁ ଗିରଫ କରିପାରିବ। ତେବେ ଫୌଜଦାରୀ ଆଇନ ପୁଲିସ ବ୍ୟତୀତ ଅନ୍ୟ କେତେଜଣଙ୍କୁ ମଧ୍ୟ ପରିସ୍ଥିତି ଅନୁଯାୟୀ ଏହି ଗିରଫଦାରୀର ଶକ୍ତି ଦେଇଥାଏ,ଏପରିକି ଆପଣଙ୍କୁ ମଧ୍ୟ। ହଁ ! ଆପଣ ଜାଣିଛନ୍ତି କି ଧାରା ୪୩ ଅନୁଯାୟୀ ଆପଣ ଜଣେ ବେସରକାରୀ ବ୍ୟକ୍ତି ଭାବରେ ବି କୌଣସି ବ୍ୟକ୍ତିଙ୍କୁ ଗିରଫ କରିପାରିବେ,ଯଦି ;


-ଆପଣଙ୍କର ଉପସ୍ଥିତିରେ କେହି ବ୍ୟକ୍ତି କୌଣସି ପୁଲିସ୍ ଧର୍ତ୍ତବ୍ୟ ଜାମିନ ଅଯୋଗ୍ୟ ଅପରାଧ କରନ୍ତି, ତେବେ ଆପଣ ନିଜେ ତାଙ୍କୁ ଗିରଫ କରି ପାରନ୍ତି ବା କରାଇ ପାରନ୍ତି ।ଅପରାଧୀ ଭାବରେ ଘୋଷିତ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ବି ଯଦି ଆପଣ ଦେଖନ୍ତି,ତେବେ ତାଙ୍କୁ ଗିରଫ କରିପାରିବେ।


ଏପରି ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ପୁଲିସ୍ ଅଧିକାରୀଙ୍କୁ ଅର୍ପଣ କରିବେ ଓ ପୁଲିସ୍ ଅଧିକାରୀ ଯଦି ଅନୁପସ୍ଥିତ ଥାଆନ୍ତି,ତେବେ ଗିରଫ କରିଥିବା ସେହି ବ୍ୟକ୍ତିଙ୍କୁ ନିକଟତମ ଥାନାରେ ନଜରବନ୍ଦୀ ଭାବରେ ହାଜର କରାଇବେ ।


(୨) ଏପରି ବ୍ୟକ୍ତିଙ୍କ ଗିରଫ ଯଦି ଧାରା ୪୧ର ବ୍ୟବସ୍ଥାବଳୀ ମଧ୍ୟରେ ଆସୁଛି ବୋଲି ପୁଲିସ ବିଶ୍ଵାସ କରେ, ତେବେ ତାଙ୍କୁ ପୁନର୍ବାର ଗିରଫ କରିପାରିବେ ।


ମାଜିଷ୍ଟ୍ରେଟଙ୍କ ଦ୍ଵାରା ମଧ୍ୟ ଗିରଫ କରାଯାଇପାରେ,ଯେତେବେଳେ କୌଣସି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଙ୍କର ସ୍ଥାନୀୟ କ୍ଷେତ୍ରମଧ୍ୟରେ ଅପରାଧ ହୁଏ,ସେ ନିଜେ ଅପରାଧୀଙ୍କୁ ଗିରଫ କରିପାରନ୍ତି ବା କୌଣସି ବ୍ୟକ୍ତିକୁ ଗିରଫ କରିବାପାଇଁ ଆଦେଶ ପ୍ରଦାନ କରିପାରନ୍ତି ।


(୨) ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବା ପ୍ରଶାସନିକ ମାଜିଷ୍ଟ୍ରେଟ୍ , ଯିଏ ବି ହୋଇ ଥାଆନ୍ତୁ ନା କାହିଁକି, ଯଦି ସେ ଗିରଫ ପରୱାନା ଜାରି କରିବାକୁ ସେ କ୍ଷମତାପନ୍ନ , ତେବେ ନିଜେ ଗିରଫ କରିପାରନ୍ତି ବା ନିଜ ଉପସ୍ଥିତିରେ ଗିରଫ କରାଇପାରନ୍ତି।


ଫୌଜଦାରୀ କାର୍ଯ୍ୟବିଧି ଆଇନରେ ଗିରଫର ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି ଏବଂ ଏହି ଆଇନ ଗିରଫ କରୁଥିବା ଅଧୁକାରୀଙ୍କ ଉପରେ ମଧ୍ୟ କିଛି କର୍ତ୍ତବ୍ୟ ନ୍ୟସ୍ତ କରିଛି।


ଧାରା ୪୧ ଖ କହେ ଯେ,ପ୍ରତ୍ୟେକ ପୁଲିସ୍ ଅଧିକାରୀ ଯେତେବେଳେ କାହାକୁ ଗିରଫ କରିବେ ,ଗିରଫ ହୋଇଥିବା ବ୍ୟକ୍ତିଙ୍କର ସଠିକ ଦୃଶ୍ୟମାନ ଏବଂ ଗିରଫର ଏକ ସ୍ମାରକ ନାମା ପ୍ରସ୍ତୁତ କରିବେ ଯହିଁରେ ;


(i) ଅତିକମରେ ଜଣେ ସାକ୍ଷୀ ରହିବେ, ଯିଏକି ଗିରଫ କରାଯାଇଥିବା ବ୍ୟକ୍ତିଙ୍କ ପରିବାରର ଜନୈକ ସଦସ୍ୟ ହୋଇଥିବେ କିମ୍ବା ସେହି ସେହି ଅଞ୍ଚଳର ଜଣେ ସମ୍ମାନସ୍ପଦ ବ୍ୟକ୍ତି ହୋଇଥିବେ ,


(ii) ଗିରଫ କରାଯାଇଥିବା ବ୍ୟକ୍ତିଙ୍କର ପ୍ରତିସ୍ଵାକ୍ଷର ରହିବ,


(ଗ) ଯଦି ଗିରଫ ପତ୍ରଟି ସଂପୃକ୍ତ ବ୍ୟକ୍ତିଙ୍କ ପରିବାରର କୌଣସି ସଦସ୍ୟଙ୍କ ଦ୍ୱାରା ଅନୁମୋଦିତ ନ ହୁଏ, ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଯେଉଁ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କର ନାମ କହିବେ ତାଙ୍କୁ ଗିରଫ ଖବର ଜଣାଇ ଦିଆଯିବ ।


କିପରି ଗିରଫ କରାଯିବ ତାହା ଧାରା ଫୌଜଦାରୀ ଆଇନର ଧାରା ୪୬ରୁ ଧାରା ୪୯ ମଧ୍ୟରେ ବର୍ଣ୍ଣନା କରାଯାଇଛି।


- ପୁଲିସ୍ କର୍ମଚାରୀ ବା ଅନ୍ୟ କୌଣସି ବ୍ୟକ୍ତି ଯାହାଙ୍କୁ ଗିରଫ କରିବେ, ତାଙ୍କର ଶରୀର ସ୍ପର୍ଶ କରି ତାଙ୍କୁ ଅଟକ ରଖିବେ, ଯଦି କଥାରେ ବା କାର୍ଯ୍ୟରେ ନଜରବନ୍ଦୀ ଭାବରେ ନ ରୁହନ୍ତି ।ତେବେ ମହିଳାଙ୍କ କ୍ଷେତ୍ରରେ କୌଣସି ପ୍ରତିକୂଳ ପରିସ୍ଥିତି ବିନା ଗିରଫର ମୌଖିକ ଜ୍ଞାପନ କରାଯିବ।କେବଳ ମହିଳା ପୋଲିସ ହିଁ ମହିଳାଙ୍କ ଶରୀରକୁ ସ୍ପର୍ଶ କରିପାରିବ ।


- ଯଦି ବ୍ୟକ୍ତି ଜଣଙ୍କ ତାଙ୍କ ଗିରଫ ସମୟରେ ବଳପୂର୍ବକ ପ୍ରତିରୋଧ କରନ୍ତି ବା ଗିରଫକୁ ଏଡାଇବାର ଚେଷ୍ଟା କରନ୍ତି, ତେବେ ପୁଲିସ୍‌ କର୍ମଚାରୀ ବା ଅନ୍ୟ କୌଣସି ବ୍ୟକ୍ତି ତାଙ୍କୁ ଗିରଫ କରିବା ନିମନ୍ତେ ସମସ୍ତ ଆବଶ୍ୟକୀୟ ଉପାୟ ଅବଲମ୍ବନ କରି ପାରନ୍ତି।


- ଯେଉଁ ବ୍ୟକ୍ତି ପ୍ରାଣଦଣ୍ଡଯୋଗ୍ୟ, ଅଥବା ଆଜୀବନ କାରାଦଣ୍ଡଯୋଗ୍ୟ ଅପରାଧରେ କରିନାହାନ୍ତି, ତାଙ୍କର ଗିରଫ ପାଇଁ ବା ରୋକିବା ପାଇଁ ମୃତ୍ୟୁ ଘଟାଇବାର ପର୍ଯ୍ୟନ୍ତ ଅଧିକାର ଏ ଧାରାରେ ନାହିଁ।


-ଅସାଧାରଣ ପରିସ୍ଥିତି ବ୍ୟତୀତ, ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ କୌଣସି ମହିଳାଙ୍କୁ ଗିରଫ କରାଯାଇପାରିବ ନାହିଁ ଏବଂ ଯେଉଁ କ୍ଷେତ୍ରରେ ଏହି ଅସାଧାରଣ ପରିସ୍ଥିତି ଥିବ ସେପରି ସ୍ଥଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଲିଖିତ ଅନୁମତି ଆଣି ମହିଳା ପୁଲିସ୍ ଅଧିକାରୀ ହିଁ ଉକ୍ତ ମହିଳାଙ୍କୁ ଗିରଫ କରିପାରିବେ।


-କୌଣସି ଗିରଫ ପରୱାନା ବଳରେ କାର୍ଯ୍ୟ କରିବାକୁ ଯାଇ ଅଥବା କୌଣସି ପୁଲିସ୍ ଅଧିକାରୀ ଯାହାଙ୍କର ଗିରଫ କରିବାର କ୍ଷମତା ଅଛି,ଯଦି ଗିରଫ ହେବାକୁ ଥିବା ବ୍ୟକ୍ତିଜଣଙ୍କ କେଉଁ ସ୍ଥାନରେ ଅଛନ୍ତି ବୋଲି ବିଶ୍ଵାସ କରନ୍ତି,ତେବେ ଉକ୍ତ ସ୍ଥାନରେ ପ୍ରବେଶ କରି ଖୋଜିପାରିବେ ଏବଂ ଆବଶ୍ୟକ ପଡିଲେ ଉକ୍ତ ସ୍ଥାନର ଝରକା ଓ କବାଟ ଭାଙ୍ଗି ମଧ୍ୟ ଭିତରକୁ ପଶିପାରିବେ। ଏଥିନିମନ୍ତେ ଗୃହ ମାଲିକ ଓ ଉକ୍ତ ସ୍ଥାନରେ ବାସ କରୁଥିବା ବ୍ୟକ୍ତି ତାଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ବାଧ୍ୟ ।ଯଦି ଗୃହଟି କେହି ପରଦାନାସିନ ଅର୍ଥାତ ପ୍ରକାଶ୍ୟକୁ ଆସୁନଥିବା ମହିଳାଙ୍କର ହୋଇଥାଏ,ଯେ ଅଭିଯୁକ୍ତା ହୋଇ ନଥାଏ ,ତେବେ ପ୍ରବେଶ ପୂର୍ବରୁ ତାଙ୍କୁ ସେଠାରୁ ବାହାର କରିବାକୁ ପୁଲିସ ଚେଷ୍ଟା କରିଥାଏ।


-ଏଠାରେ ଦୃଷ୍ଟି ରଖିବାକୁ ହେବ ଯେ, କୌଣସି ପୁଲିସ୍ ଅଧିକାରୀ ଯେତେବେଳେ ଜଣଙ୍କୁ ଗିରଫ କରିବାପାଇଁ ଅଧିକାର ପ୍ରାପ୍ତ ହୋଇଥାନ୍ତି ,ସେ ଭାରତର ଯେ କୌଣସି ସ୍ଥାନକୁ ତାହାର ଅନୁଧାବନ କରିପାରନ୍ତି ।


- ଗିରଫ କରାଯାଇଥିବା ବ୍ୟକ୍ତିର ପଳାୟନକୁ ରୋକିବା ନିମନ୍ତେ ଯେତିକି ନିରୋଧ ଆବଶ୍ୟକ ତାହାଠାରୁ ଉକ୍ତ ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଅଧିକ ଅବରୁଦ୍ଧ କରାଯିବ ନାହିଁ ।


ଗିରଫ ହୋଇଥିବା ବ୍ୟକ୍ତିଙ୍କ ଅଧିକାର-


ଅପରାଧକୁ ନିୟନ୍ତ୍ରିତ କରିବା ତଥା ନ୍ୟାୟ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଗିରଫ ଜରୁରୀ ହୋଇଥାଏ ।ତେବେ ଗିରଫ ହେବା ପରେ ବ୍ୟକ୍ତିର ନିମ୍ନଲିଖିତ ଅଧିକାର ସୁରକ୍ଷିତ ରହିଥାଏ ଏବଂ ଗିରଫ ହୋଇଥିବା ବ୍ୟକ୍ତି ଏ ସମସ୍ତ ଅଧିକାର ଦାବି କରିପାରନ୍ତି ।


-ଭାରତୀୟ ସମ୍ବିଧାନର ଧାରା ୨୨(୧) ଓ ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୫୦,୫୦'କ',୫୫ ଏବଂ ୭୫ ଅନୁଯାୟୀ ବ୍ୟକ୍ତିକୁ ନିଜ ଗିରଫଦାରୀର କାରଣ ଜାଣିବାର ସଂପୂର୍ଣ୍ଣ ଅଧିକାର ରହିଛି।


-ଧାରା ୫୦ଅନୁଯାୟୀ ଗିରଫ କରାଯାଇଥିବା ବ୍ୟକ୍ତିକୁ ଗିରଫଦାରୀର କାରଣ ଓ ଜାମିନରେ ଯିବାର ଅଧିକାର ସଂପର୍କରେ ଅବଗତ କରାଯାଇଥାଏ।


ବିନା ପରୱାନାରେ ପୁଲିସ୍ ଅଧୁକାରୀ ବା ଅନ୍ୟ କେହି କୌଣସି ବ୍ୟକ୍ତିଙ୍କୁ ଗିରଫ କଲେ, ଯେଉଁ ଅପରାଧ ପାଇଁ ବା ଅନ୍ୟାନ୍ୟ କାରଣ ପାଇଁ ତାଙ୍କୁ ଗିରଫ କରାଯାଇଛି ଓ ଜାମିନ-ଯୋଗ୍ୟ ଅପରାଧରେ କିଭଳି ଜାମିନ ମିଳିପାରିବ , ତାହା ଜଣାଇବାକୁ ବାଧ୍ୟ ଅନ୍ୟଥା ଏହାକୁ ବେଆଇନ ଅଟକ କୁହାଯିବ।


-ଧାରା ୫୦-କ ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କର ଗିରଫ ସଂକ୍ରାନ୍ତରେ ତଥା ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କେଉଁ ସ୍ଥାନରେ ରଖାଯାଇଛି ଇତ୍ୟାଦି ବିଷୟରେ ତାଙ୍କ ମନୋନୀତ ବ୍ୟକ୍ତିଙ୍କୁ ସୂଚୀତ କରାଯାଇଥାଏ।


-ଗିରଫ କରାଯାଇଥିବା ବ୍ୟକ୍ତିଙ୍କର ତଲାସୀ ସମୟରେ ଯଦି କିଛି ଦ୍ରବ୍ୟ ସବୁ ଜବତ ହେବ,ତେବେ ପୁଲିସ୍ ନିଜ ଦଖଲକୁ ନେଇଥିବା ଦ୍ରବ୍ୟର ଗୋଟିଏ ତାଲିକା ପ୍ରସ୍ତୁତି ହୋଇ ଗିରଫ ବ୍ୟକ୍ତିଙ୍କୁ ରସିଦ୍ ସ୍ଵରୂପ ଦେବାକୁ ବାଧ୍ୟ।


-ଭାରତୀୟ ସମ୍ବିଧାନର ଧାରା ୨୨(୨) ଓ ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୫୬,୫୭,୭୬,୧୬୭ ଅନୁଯାୟୀ ବ୍ୟକ୍ତିଙ୍କୁ ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପେଶ କରାଯିବ।


-ଭାରତୀୟ ସମ୍ବିଧାନର ଧାରା ୨୧ ଓ ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୫୩,୫୪,୫୫କ ଗିରଫ ହୋଇଥିବା ବ୍ୟକ୍ତିର ସ୍ଵାସ୍ଥ୍ୟ ଓ ନିରାପତ୍ତା ଓ ଉପଯୁକ୍ତ ଯତ୍ନ ନେବା ପ୍ରତି ଅଧିକାରକୁ ଗୁରୁତ୍ଵ ଦେଇଥାଏ ।


-ଭାରତୀୟ ସମ୍ବିଧାନର ଧାରା ୨୧ ଏବଂ ୩୯'କ'ରେ ବ୍ୟକ୍ତିଙ୍କୁ ମୁକ୍ତ ଆଇନଗତ ସାହାଯ୍ୟ ମିଳିବା କଥା ଉଲ୍ଲେଖ କରାଯାଇଛି।ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୪୧ଘ ଓ ୩୦୩ରେ ପ୍ରତିରକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ତଥା ଗିରଫ ହୋଇଥିବା ବ୍ୟକ୍ତି ଆଇନଜୀବୀଙ୍କ ସହାୟତା ତଥା ପରାମର୍ଶ ନେବାର ଅଧିକାର ସଂପର୍କରେ ଉଲ୍ଲେଖ କରାଯାଇଛି।ଏପରିକି ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୩୦୪ ଅନୁସାରେ କେତେକ କ୍ଷେତ୍ରରେ ଆରୋପୀଙ୍କୁ ସରକାରୀ ବ୍ୟୟରେ ଆଇନଗତ ସାହାଯ୍ୟ ମଧ୍ୟ ମିଳିଥାଏ।

Our Recent Posts