• ସୂର୍ଯ୍ୟସ୍ନାତା ଦାସ

ତଲାକ୍



ଛାଡପତ୍ର ବା ବିବାହ ବିଚ୍ଛେଦ ହେଉଛି ଦୁଇଟି ପକ୍ଷ ମଧ୍ୟରେ ଅନୁଷ୍ଠାନିକ ରୂପରେ ହୋଇଥିବା ବିବାହର ବିଲୋପ କରାଇବା।ବିବାହର ବିଚ୍ଛେଦ ପରେ ପତିପତ୍ନୀ ପରସ୍ପର ପ୍ରତି ଥିବା ବୈବାହିକ ଦାୟିତ୍ଵରୁ ମୁକ୍ତ ହୋଇଥାନ୍ତି ।ସାଂପ୍ରତିକ ବ୍ୟବସ୍ଥା ଅନୁଯାୟୀ ଛାଡପତ୍ରର ଦୁଇଟି ପ୍ରକାରର ହୋଇପାରେ ।-

ପ୍ରଥମତଃ ପାରମ୍ପରିକ ଅଥବା ଅତିରିକ୍ତ ନ୍ୟାୟିକ ଛାଡପତ୍ର, ଏବଂ ଦ୍ଵିତୀୟତଃ ଆଇନଗତ ନ୍ୟାୟିକ ଛାଡପତ୍ର ।


ପାରମ୍ପରିକ ଛାଡପତ୍ରକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇପାରେ, ଯଥା ପତିଙ୍କ ଦ୍ଵାରା ପ୍ରଦତ୍ତ ତଲାକ୍, ଇଲା, ଓ ଜିହାର ଏବଂ ପତ୍ନୀଙ୍କ ଦ୍ଵାରା ପ୍ରଦତ୍ତ ତାଲାକ୍-ଇ-ତାଫୱିଜ୍ ଓ ଲିଆନ୍ ।ଏହାଛଡା ପାରସ୍ପରିକ ଚୁକ୍ତି ଦ୍ୱାରା ମଧ୍ୟ ଖୁଲା ଏବଂ ମୁବାରତରେ ଛାଡପତ୍ର ଦିଆଯାଇଥାଏ ।


ତଲାକ ଶବ୍ଦଟି ଏକ ଆରବୀୟ ଶବ୍ଦରୁ ଆନୀତ ଯାହାର ଅର୍ଥ ହେଉଛି ମୁକ୍ତ କରିବା।ଏହା ବିବାହକୁ ଶେଷ କରିବା ପାଇଁ ପତିଙ୍କର ଏକପାଖିଆ ଅଧିକାର ଏବଂ ଏହାର ନିର୍ଦ୍ଦିଷ୍ଟ ପଦ୍ଧତିର ପରିପାଳନରେ ବିବାହଟି ଆପେଆପେ ବିଲୋପ ହୋଇଯାଇଥାଏ।ତେବେ ତଲାକ ଦେବାକୁ ହେଲେ ମୁସଲମାନ ପତିଟି ଉପଯୁକ୍ତ ବୟୋଃପ୍ରାପ୍ତ ଏବଂ ସୁସ୍ଥ ମସ୍ତିଷ୍କ ହୋଇଥିବା ଆବଶ୍ୟକ ତଥା ତଲାକକୁ ମୁକ୍ତ ସମ୍ମତିରେ ପ୍ରଦାନ କରିଥିବା ଅନିବାର୍ଯ୍ୟ।

ଏହି ତଲାକର ଆନୁଷ୍ଠାନିକତାକୁ ନେଇ ସୁନ୍ନି ନିୟମ ଓ ଶିଆ ନିୟମ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ।ସୁନ୍ନି ନିୟମ ଅନୁଯାୟୀ, ଏକ ତାଲାକ୍ ମୌଖିକ କିମ୍ବା ଲିଖିତ ରୂପରେ ତଲାକନାମା ଦ୍ଵାରା ହୋଇପାରେ । ସାକ୍ଷୀଙ୍କ ଉପସ୍ଥିତି ଏଥିପାଇଁ ଆବଶ୍ୟକ ନୁହେଁ । ଶିଆ ନିୟମ ଅନୁଯାୟୀ ଯଦି ପତି କଥା କହିବାକୁ ସକ୍ଷମ କିନ୍ତୁ ଏହାକୁ ଲିଖିତ ଆକାରରେ ଦିଅନ୍ତି, ତେବେ ଏହା ଶୂନ୍ୟ ଅଟେ । ଏଠାରେ ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ତାଲାକ୍ ଉଚ୍ଚାରଣ କରାଯିବା ଆବଶ୍ୟକ ।


ଯେତେବେଳେ “ମୁଁ ତୁମକୁ ଛାଡପତ୍ର ଦେଇଛି” ପରି ସ୍ପଷ୍ଟ ଶବ୍ଦ ଉଚ୍ଚାରଣ କରାଯାଏ, ତାହାକୁ ବ୍ୟକ୍ତ ତଲାକ ବୋଲି କୁହାଯାଏ।

ଏହି ବ୍ୟକ୍ତ ତଲାକ, ଦୁଇଟି ଶ୍ରେଣୀରେ ବିଭକ୍ତ:

ତାଲାକ୍-ଇ-ସୁନ୍ନତ,

ତାଲାକ୍-ଇ-ବିଦତ୍

ତାଲାକ୍-ଇ-ସୁନ୍ନତର ପୁନଶ୍ଚ ଦୁଇଟି ରୂପ ଅଛି,ଅହସାନ ତାଲାକ ଏବଂ ହାସନ ତଲାକ।ତୁହୁର (ଶୁଦ୍ଧତା) କିମ୍ବା ଯେକୌଣସି ସମୟରେ, ଯଦି ପତ୍ନୀ ଋତୁସ୍ରାବରୁ ମୁକ୍ତ, ତେବେ ସେ ସମୟରେ ଯୌନ ସମ୍ପର୍କରୁ ନିବୃତ୍ତ ହେବା ପାଇଁ ପତିଙ୍କ ଦ୍ଵାରା ଛାଡପତ୍ରର ଏକ ଘୋଷଣାକୁ ନେଇ ଏହା ଗଠିତ । ଏଥିରେ, ଯଦି ଇଦତ ସମାପ୍ତ ହେବା ପୂର୍ବରୁ, ସ୍ୱାମୀ ତାଙ୍କ ପତ୍ନୀଙ୍କ ସହ ପୁନର୍ବାର ସହବାସ କରନ୍ତି କିମ୍ବା କୁହନ୍ତି ଯେ ମୁଁ ତୁମକୁ ରଖିଛି ତେବେ ଛାଡପତ୍ର ରଦ୍ଦ ହୋଇଛି ବୋଲି ଧରାଯାଏ। ।


ହସନ୍ ତଲାକରେ କ୍ରମାଗତ ତିନିଗୋଟିଟି ତୁହର ସମୟରେ ତିନିଥର ତାଲାକର ସୂତ୍ର ଉଚ୍ଚାରଣ କରିବା ଆବଶ୍ୟକ ।ଏହା ମଧ୍ୟ ଅନ୍ୟ ତଲାକର ଅଧିକାର ଭଳି ପତିଙ୍କର ଏକଚାଟିଆ ଅଧିକାର। ଏଥିରେ ଯଦି ପତ୍ନୀ ଋତୁସ୍ରାବର ବୟସ ଅତିକ୍ରମ କରିସାରିଛନ୍ତି, ତେବେ ଏହାର ଘୋଷଣା ଏକ ମାସ କିମ୍ବା ତିରିଶ ଦିନର ବ୍ୟବଧାନରେ କ୍ରମାଗତ ଭାବରେ କରାଯାଇଥାଏ।ଏହି ସମୟ ମଧ୍ୟରେ ପତିପତ୍ନୀଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ କରାଯାଏନାହିଁ। ଯେତେବେଳେ ଶେଷ ଥର ତଲାକ ଘୋଷଣା କରାଯାଏ, ତଲାକ୍, ଚୂଡାନ୍ତ ଏବଂ ଅପୂରଣୀୟ ହୋଇଯାଏ ।


ତେବେ ତଲାକ-ଈ-ସୁନ୍ନତକୁ ମୁସଲମାନ ନିୟମ ଶାସ୍ତ୍ରୀଙ୍କ ମଧ୍ୟରେ ଉତ୍କୃଷ୍ଟ ଧରଣର ତଲାକ ବୋଲି ସ୍ଵୀକୃତି ପାଇଥାଏ,କାରଣ ଏଥିରେ ବ୍ୟକ୍ତିକୁ ପରିସ୍ଥିତି ଅନୁଧ୍ୟାନ ପାଇଁ ପର୍ଯ୍ୟାପ୍ତ ସମୟ ମିଳିଥାଏ।

ତାଲାକ୍-ଇ-ବିଦତକୁ ହେଉଛି ତୁହର ସମୟରେ ତିନିଥର ତଲାକ ଉଚ୍ଚାରଣ କରିବା ଦ୍ଵାରା ବିଚ୍ଛେଦ।ଏହାକୁ ତତକ୍ଷଣାତ୍ ତଲାକ ମଧ୍ୟ କୁହାଯାଇଥାଏ।ଏହା ଅପୂରଣୀୟ ହୋଇଥାଏ, ଅର୍ଥାତ୍ ତିନିଥର ତଲାକ ଉଚ୍ଚାରଣ କଲେ ବିବାହ ବିଚ୍ଛେଦ ହୋଇଯାଏ ଏବଂ ଉଭୟ ପକ୍ଷ ମଧ୍ୟରେ ପୁନର୍ବାର ବିବାହ ହୋଇପାରେ ନାହିଁ।ତେବେ ଏହି ଧରଣର ତଲାକ ପତିର ଏକଚାଟିଆ ଅଧିକାର ଉପଯୋଗର ଖୁବ ନିକୃଷ୍ଟ ନମୁନା ଓ ଏହାକୁ ବିଭିନ୍ନ ଭାବରେ ନିନ୍ଦା କରାଯାଇଥାଏ।ଶାୟୋରା ବାନୋ ବନାମ ୟୁନିଅନ ଅଫ୍ ଇଣ୍ଡିଆ ୨୦୧୭ରେ ଭାରତର ଉଚ୍ଚତମ ନ୍ୟାୟାଳୟ ଏହାର ଘୋର ନିନ୍ଦା କରିବା ସହ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲା । ପରବର୍ତ୍ତୀ ସମୟରେ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା ଅର୍ଡିନାନ୍ସ ୨୦୧୮ରେ ତଲାକ-ଈ-ବିଦତ ବା ଟ୍ରିପଲ ତଲାକକୁ ଏକ ଅପରାଧ ଭାବରେ ପରିଗଣିତ କରାଗଲା।ସଂପ୍ରତି ଏହାକୁ ପାଳନ କରିବାକୁ ଚେଷ୍ଟା କଲେ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଫାଇନର ବ୍ୟବସ୍ଥା ରଖାଯାଇଛି।


ଇଲା:


ଇଲାରେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନକରିବାକୁ ଶପଥ କରନ୍ତି।ଏହି ପ୍ରକାର ତଲାକରେ ସମୟ ଅବଧି ଚାରିମାସ ରଖାଯାଇଥାଏ।ଚତୁର୍ଥ ମାସର ସମାପ୍ତି ପରେ, ବିବାହ ବିଚ୍ଛେଦ ହୁଏ ଓ ଏହି ବିବାହଟି ଅପୂରଣୀୟ ଭାବରେ ବିଲୋପ ହୋଇଥାଏ । କିନ୍ତୁ ଯଦି ସ୍ୱାମୀ ଏହି ସମୟ ମଧ୍ୟରେ ଅର୍ଥାତ ଏହି ଚାରି ମାସ ମଧ୍ୟରେ ପୁନର୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି, ତେବେ ଇଲା ବାତିଲ ହୋଇଯାଏ ଏବଂ ବିବାହ ବିଚ୍ଛେଦ ହୁଏ ନାହିଁ ।


ଜିହାର:


ଯଦି ସ୍ୱାମୀ ନିଜ ପତ୍ନୀଙ୍କୁ ତାଙ୍କ ନିଷେଧ ସମ୍ପର୍କ ମଧ୍ୟରେ ଥିବା ମହିଳାଙ୍କ ଯଥା, ମା କିମ୍ବା ଭଉଣୀ ଇତ୍ୟାଦି ସହିତ ତୁଳନା କରନ୍ତି ,ତେବେ ଏଥିପାଇଁ ପତ୍ନୀ ତାଙ୍କୁ ପଶ୍ଚାତାପ କରିବାକୁ କହନ୍ତି।ପଶ୍ଚାତାପ ଭାବରେ ପତିଙ୍କୁ ଦୁଇମାସ ପାଇଁ ଉପବାସ କରିବାକୁ ପଡେ ଅଥବା ସେ ଅତି କମରେ ଷାଠିଏ ଜଣ ଲୋକଙ୍କୁ ଖାଦ୍ୟ ଯୋଗାନ୍ତି, କିମ୍ବା, ସେ ଜଣେ ଦାସକୁ ମୁକ୍ତ କରନ୍ତି ,ତେବେ ବିବାହ ତିଷ୍ଠି ରହିଥାଏ।ମାତ୍ର ଏହିପରି ତୁଳନା ପରେ ପଶ୍ଚାତାପ ନକରି ପତି ଯଦି ଚାରିମାସ ପର୍ଯ୍ୟନ୍ତ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି ନାହିଁ ,ତେବେ ଉକ୍ତ ଅବଧି ସମାପ୍ତ ହେବା ପରେ ଜିହାର ସଂପୂର୍ଣ୍ଣ ହୋଇଛି ବୋଲି ଧରିନିଆଯାଇଥାଏ।

ପାରସ୍ପରିକ ଚୁକ୍ତି ଦ୍ୱାରା ଛାଡପତ୍ର:


ଖୁଲା ଏବଂ ମୁବାରତ ହେଉଛି ପାରସ୍ପରିକ ସମ୍ମତି ଦ୍ଵାରା ଦିଆଯାଉଥିବା ଛାଡପତ୍ର।ଏଠାରେ ଉଭୟ ପତି ଓ ପତ୍ନୀ ବିବାହ ବିଚ୍ଛେଦ ଘଟାଇବା ପାଇଁ ସହମତ ହୋଇ ଛାଡପତ୍ର ଦିଆନିଆ କରିଥାନ୍ତି।ଏହି ପ୍ରକାରର ବିଚ୍ଛେଦ ବ୍ୟବସ୍ଥା କୌଣସି ଗୋଟିଏ ପକ୍ଷର ଏକଚାଟିଆ ଅଧିକାର ନୁହେଁ ବରଂ ଉଭୟ ପକ୍ଷର ସମ୍ମତିରେ ହୋଇଥାଏ। ଏ ପ୍ରକାରର ଛାଡପତ୍ର ବ୍ୟବସ୍ଥାରେ ପତ୍ନୀଙ୍କୁ ତାଙ୍କ ଡାୱର କିମ୍ବା ଅନ୍ୟ ସମ୍ପତ୍ତିରୁ କିଛି ଅଂଶ ଦେବାକୁ ପଡିଥାଏ।ଖୁଲା ଶବ୍ଦର ମୂଳ ଅର୍ଥରେ ହେଉଛି ଖୋଲିବା । ଯେତେବେଳେ ପତିପତ୍ନୀ ଖୁଲା ନିଅନ୍ତି ସେମାନେ ସମ୍ପର୍କରୁ ନିଜକୁ ଓହରାଇ ଆଣିଥାନ୍ତି।ମୁବାରତରେ, ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ,ଏଠାରେ ଉଭୟ ପକ୍ଷ ଛାଡପତ୍ର ଚାହାଁନ୍ତି । ମୁସଲିମ ନିୟମ ଅନୁଯାୟୀ ଯେତେବେଳେ ବିବାହର ପକ୍ଷମାନେ ଏକ ମୁବାରତରେ ପ୍ରବେଶ କରନ୍ତି ସେତେବେଳେ ସମସ୍ତ ପାରସ୍ପରିକ ଅଧିକାର ସମାପ୍ତ ହୋଇଥାଏ।

Our Recent Posts

Law in Odia

India

LAW IN ODIA